ଗୁଆହାଟୀ: ଆସାମର ପାର୍ବତ୍ୟାଞ୍ଚଳ ରେଳ ସେକ୍ସନରେ ଗୁରୁବାର ସକାଳେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ସିଲଚର-ଗୁଆହାଟୀ ଏକ୍ସପ୍ରେସ୍ (ଟ୍ରେନ୍ ନଂ 15615) ର ଇଞ୍ଜିନ୍ ବଦରପୁର ରେଳ ବ୍ରିଜ୍ (ବଦରପୁର ଓ ସୁକ୍ରିତିପୁର ଷ୍ଟେସନ ମଧ୍ୟରେ) ଲାଇନ୍ଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ କୌଣସି ହତାହତର ଖବର ମିଳିନାହିଁ।
ଏହି ଲାଇନ୍ଚ୍ୟୁତ ଘଟଣା ଯୋଗୁଁ ବରାକ ଭ୍ୟାଲି ସହିତ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ଅଞ୍ଚଳକୁ ଯୋଡ଼ୁଥିବା ମୁଖ୍ୟ ରେଳପଥରେ ଟ୍ରେନ୍ ଚଳାଚଳ ଗମ୍ଭୀର ଭାବେ ବାଧାପ୍ରାପ୍ତ ହୋଇଛି। ଦୁର୍ଘଟଣା ପରେ ତୁରନ୍ତ ଫେରନ୍ତା ଗୁଆହାଟୀ-ସିଲଚର ଏକ୍ସପ୍ରେସ୍ (ଟ୍ରେନ୍ ନଂ 15615) କୁ ବାତିଲ କରାଯାଇଛି। ଏହାସହ ଅନେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନକୁ ବିଭିନ୍ନ ଷ୍ଟେସନରେ ଅଟକାଇ ରଖାଯାଇଛି, ଯାହାଫଳରେ ଯାତ୍ରୀମାନେ ଚରମ ହଇରାଣ ହୋଇଛନ୍ତି।
ଘଟଣାସ୍ଥଳରେ ରେଳବାଇର ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ୍ ପହଞ୍ଚି ମରାମତି ଓ ଲାଇନ୍ ସଫା କରିବା କାର୍ଯ୍ୟ ଜାରି ରଖିଛନ୍ତି। ଗୁରୁବାର ସନ୍ଧ୍ୟା ସୁଦ୍ଧା ମରାମତି କାର୍ଯ୍ୟ ଶେଷ ହେବାର ସମ୍ଭାବନା ରହିଛି। ଟ୍ରାକ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ଘୋଷଣା କରାଯିବା ପରେ ଯାଇ ପୁନର୍ବାର ସ୍ୱାଭାବିକ ଟ୍ରେନ୍ ଚଳାଚଳ ଆରମ୍ଭ ହେବ।
ବଦରପୁର ରୁଟ୍ ଦକ୍ଷିଣ ଆସାମ ଓ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୁର୍ଘଟଣାର ମୂଳ କାରଣ ଜାଣିବା ପାଇଁ ଅନୁସନ୍ଧାନ କରାଯାଉଛି। ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ରେଳବାଇର ଅଫିସିଆଲ୍ ହେଲ୍ପଲାଇନ୍ କିମ୍ବା ସୂଚନା କେନ୍ଦ୍ରରୁ ଟ୍ରେନ୍ର ନୂତନ ସମୟ ସାରଣୀ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି।




