ୱାଶିଂଟନ୍: ଆମେରିକାରେ ଆସନ୍ତା ଜନଗଣନାରେ ବେଆଇନ ପ୍ରବାସୀ ଏବଂ କିଛି ନିର୍ଦ୍ଦିଷ୍ଟ ଭିସାଧାରୀଙ୍କୁ ସାଂସଦୀୟ ଆସନ ବଣ୍ଟନ ପ୍ରକ୍ରିୟାରୁ ବାଦ୍ ଦେବା ପାଇଁ ଆସିଥିବା ପ୍ରସ୍ତାବିତ ନିୟମକୁ ନେଇ ଆମେରିକା ରାଜନୀତି ଗରମ ହୋଇଛି। ଟ୍ରମ୍ପ ପ୍ରଶାସନଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ପାଇଁ ୧୫୦ରୁ ଉର୍ଦ୍ଧ୍ୱ ଡେମୋକ୍ରାଟିକ୍ ସାଂସଦ ଦାବି କରିଛନ୍ତି, ଯେଉଁଥିରେ ୫ ଜଣ ପ୍ରମୁଖ ଭାରତୀୟ-ଆମେରିକୀୟ ସାଂସଦ ସାମିଲ ଅଛନ୍ତି।

ଏହି ସାଧାରଣ ଆବେଦନ ପତ୍ରରେ ସ୍ୱାକ୍ଷର କରିଥିବା ଭାରତୀୟ-ଆମେରିକୀୟ ସାଂସଦମାନେ ହେଉଛନ୍ତି ପ୍ରମିଳା ଜୟପାଲ, ରୋ ଖାନ୍ନା, ରାଜା କୃଷ୍ଣମୂର୍ତ୍ତି, ସୁହାସ ସୁବ୍ରମଣ୍ୟମ ଏବଂ ଶ୍ରୀ ଠାଣେଦାର।

ସେନ୍ସସ୍ ବ୍ୟୁରୋ ର ପ୍ରସ୍ତାବିତ ନିୟମ ଅନୁଯାୟୀ, ଗ୍ରୀନ୍ କାର୍ଡଧାରୀ ମାନଙ୍କୁ ଜନସଂଖ୍ୟା ଗଣନାରେ ସାମିଲ କରାଯିବ।

ତେବେ ବେଆଇନ ଭାବେ ରହୁଥିବା ପ୍ରବାସୀ ଏବଂ ଅସ୍ଥାୟୀ ଭିସା (H-1B, ଛାତ୍ର ଭିସା ଇତ୍ୟାଦି) ରେ ଥିବା ବ୍ୟକ୍ତିମାନଙ୍କୁ କଂଗ୍ରେସ ଆସନ ବଣ୍ଟନ ଗଣନାରୁ ବାଦ୍ ଦିଆଯିବ। ପ୍ରଶାସନର ଯୁକ୍ତି ହେଉଛି ଯେ ଆମେରିକାରେ ସ୍ଥାୟୀ ରହଣି ଏବଂ ଆନୁଗତ୍ୟ ଥିବା ବ୍ୟକ୍ତିଙ୍କ ଆଧାରରେ ହିଁ ପ୍ରତିନିଧିତ୍ୱ ନିର୍ଦ୍ଧାରିତ ହେବା ଉଚିତ୍।

ଡେମୋକ୍ରାଟିକ୍ ସାଂସଦ ରୋବର୍ଟ ଗାର୍ସିଆ, ଗ୍ରେସ୍ ମେଙ୍ଗ୍ ଏବଂ ଭାରତୀୟ-ଆମେରିକୀୟ ନେତାମାନେ ଏହି ନିୟମକୁ ସଂସଦ ଓ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଚେତାବନୀ ଦେଇଛନ୍ତି।

ସାଂସଦମାନଙ୍କ ଅନୁଯାୟୀ, ଏହି ପ୍ରସ୍ତାବ ଆମେରିକା ସମ୍ବିଧାନର ୧୪ତମ ସଂଶୋଧନର ଉଲ୍ଲଂଘନ କରୁଛି, ଯାହା ପ୍ରତ୍ୟେକ ରାଜ୍ୟର ସମୁଦାୟ ଜନସଂଖ୍ୟା ଆଧାରରେ ପ୍ରତିନିଧିତ୍ୱ ସ୍ଥିର କରିବାକୁ କହିଥାଏ।

ଏହାଦ୍ୱାରା ସଂଖ୍ୟାଲଘୁ ସମ୍ପ୍ରଦାୟଗୁଡ଼ିକ ସେମାନଙ୍କର ଉଚିତ୍ ପ୍ରତିନିଧିତ୍ୱ ଓ ସରକାରୀ ସମ୍ବଳ ହରାଇବେ। ଅନ୍ୟପଟେ ରିପବ୍ଲିକାନ୍ ସାଂସଦ ମେରୀ ମିଲର ଏହି ପ୍ରସ୍ତାବକୁ ସମର୍ଥନ କରି ଗ୍ରୀନ୍ କାର୍ଡଧାରୀଙ୍କ ସମେତ ସମସ୍ତ ଅଣ-ନାଗରିକଙ୍କୁ ଗଣନାରୁ ବାଦ୍ ଦେବାକୁ ଦାବି କରିଛନ୍ତି।

ପ୍ରତି ୧୦ ବର୍ଷରେ ଆମେରିକାରେ ହେଉଥିବା ଜନଗଣନା ଆଧାରରେ ହିଁ ଆମେରିକା କଂଗ୍ରେସର ୪୩୫ଟି ଆସନ ୫୦ଟି ରାଜ୍ୟ ମଧ୍ୟରେ ଭାଗ କରାଯାଇଥାଏ। ରାଜ୍ୟଗୁଡ଼ିକ ଏହି ପ୍ରସ୍ତାବ ଉପରେ ଚିନ୍ତା ପ୍ରକାଶ କରି ଆଲୋଚନା ପାଇଁ ଅଧିକ ସମୟ ମାଗିଛନ୍ତି।