ଭୁବନେଶ୍ୱର: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଭୂସ୍ଖଳନ ଯୋଗୁଁ ଠପ୍ ହୋଇପଡ଼ିଥିବା ଯାତାୟାତ ପୁନର୍ବାର ସ୍ୱାଭାବିକ ହୋଇଛି। ୩୨୬ ନମ୍ବର ଜାତୀୟ ରାଜପଥ (NH-326)ରେ ମରାମତି ଓ ରାସ୍ତା ସଫେଇ କାର୍ଯ୍ୟ ଶେଷ ହେବା ପରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ରାଜପଥ ଯୋଗାଯୋଗ ପୁନଃସ୍ଥାପିତ ହେବା ଫଳରେ ଯାତ୍ରୀ ଓ ସ୍ଥାନୀୟ ଲୋକେ ବଡ଼ ଆଶ୍ୱସ୍ତି ଲାଭ କରିଛନ୍ତି।

ଗୁରୁବାର ରାତିରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ପ୍ରବଳ ଜଳସ୍ରୋତ ବାହାରି ବେଲଗଡ଼ା ଗାଁ ନିକଟରେ ଜାତୀୟ ରାଜପଥର ପ୍ରାୟ ୨୦ ଫୁଟ ଲମ୍ବର ରାସ୍ତା ଧସିଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିକେଡ୍ ଲଗାଇ ରାସ୍ତାକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଥିଲା। ଇଞ୍ଜିନିୟରମାନେ ସେହି ପ୍ରଭାବିତ ଅଞ୍ଚଳର ତ୍ୱରିତ ମରାମତି କରିବା ପରେ ଶୁକ୍ରବାରଠାରୁ ଯାନବାହାନ ଚଳାଚଳ ପାଇଁ ରାସ୍ତା ଖୋଲିଦିଆଯାଇଛି।

ବର୍ଷା ଯୋଗୁଁ ତପ୍ତପାଣି, କାଳୀବୋରୋଇ, ଛେଡ଼ାନାଈ ଏବଂ ପାଲୁଖୋଲା ଆଦି ଅଞ୍ଚଳରେ ବୃହତ୍ ପାହାଡ଼ିଆ ପଥର, ମାଟି ଓ ବୃକ୍ଷରାଜି ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା। କେତେକ ସ୍ଥାନରେ ରାସ୍ତା ଉପରେ ପ୍ରାୟ ୩ ଫୁଟ ଉଚ୍ଚର ଜଳସ୍ରୋତ ପ୍ରବାହିତ ହେଉଥିଲା।

ଖବର ପାଇ ଜାତୀୟ ରାଜପଥ ପ୍ରାଧିକରଣ (NHAI), ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଏବଂ ପାଟପୁର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଚ୍‌ଏଆଇ ପକ୍ଷରୁ ବଡ଼ ବଡ଼ ଜେସିବି (JCB) ଓ ଭାରୀ ଯନ୍ତ୍ରପାତି ନିୟୋଜିତ କରାଯାଇ ରାସ୍ତାରୁ ଆବର୍ଜନା, ମାଟି ଓ ବିଶାଳ ପଥରଗୁଡ଼ିକୁ ହଟାଯାଇଛି।

ଏହି ଜାତୀୟ ରାଜପଥ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାକୁ ପଡ଼ୋଶୀ ରାଜ୍ୟ ସହ ଯୋଡ଼ୁଥିବାରୁ ଏହାର ପୁନରୁଦ୍ଧାରକୁ ପ୍ରଶାସନ ସର୍ବୋଚ୍ଚ ପ୍ରାଥମିକତା ଦେଇଛି।