ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟ ସୁଦୃଶ ଲଘୁଚାପ କ୍ଷେତ୍ର ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପୂର୍ବାନୁମାନ ଅନୁଯାୟୀ, ଏହି ବାତ୍ୟା ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ।
ଏହି ପାଣିପାଗ ନିୟାମକ ପ୍ରଭାବରେ ଅକ୍ଟୋବର ୩୧ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ବଳିଷ୍ଠ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିବ। IMD ପକ୍ଷରୁ ଜାରି ହୋଇଥିବା ପବନ ସମ୍ପର୍କିତ ଚେତାବନୀ:
- ଅକ୍ଟୋବର ୩୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଘଣ୍ଟାପ୍ରତି ୩୫ରୁ ୪୫ କିମି ବେଗରେ ପବନ ବହିବ, ଯାହା ଝଟକା ସହ ୫୫ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ମଧ୍ୟାହ୍ନ ସୁଦ୍ଧା ଏହି ବେଗ ୪୦ରୁ ୫୦ କିମି (ଝଟକା ୬୦ କିମି) ଛୁଇଁବ।
- ନଭେମ୍ବର ୧ରୁ ୨: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ୪୫ରୁ ୫୫ କିମି (ଝଟକା ୬୫ କିମି) ରହିବ।
- ନଭେମ୍ବର ୨ରୁ ୩: ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପବନର ବେଗ ୫୦ରୁ ୬୦ କିମି (ଝଟକା ୭୦ କିମି) ହେବାର ସମ୍ଭାବନା ରହିଛି।
ନଭେମ୍ବର ୨ ସକାଳଠାରୁ ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ, ଯାହା ସନ୍ଧ୍ୟା ସୁଦ୍ଧା ୫୦ରୁ ୬୦ କିମି (ଝଟକା ୭୦ କିମି) ପର୍ଯ୍ୟନ୍ତ ହୋଇପାରେ।
ଏହି ସମୟ ମଧ୍ୟରେ ଆଣ୍ଡାମାନ ସାଗର ଏବଂ ତା’ର ଆଖପାଖ ଅଞ୍ଚଳରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ। ସୁରକ୍ଷା ଦୃଷ୍ଟିରୁ ମତ୍ସ୍ୟଜୀବୀମାନଙ୍କୁ ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ସଂଲଗ୍ନ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ କଡ଼ା ପରାମର୍ଶ ଦେଇଛି।




