ବରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟରେ ନିୟୋଜିତ ଜଣେ ବୁଥ୍ସ୍ତରୀୟ ଅଧିକାରୀ (BLO)ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଝାରବନ୍ଧ ବ୍ଲକ୍ର ବଡ଼ଅନକି ଗାଁରେ ଏହି ଘଟଣା ଘଟିଛି। ଆହତ BLO କୃପାସିନ୍ଧୁ ବରିହାଙ୍କୁ ପ୍ରଥମେ ଉଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପଦ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଗାଁ ଦାଣ୍ଡରେ ଘେରି ଆକ୍ରମଣ
ସୂଚନା ଅନୁଯାୟୀ, କୃପାସିନ୍ଧୁ ବରିହା ବଡ଼ଅନକି ଅଞ୍ଚଳରେ SIR କାର୍ଯ୍ୟରେ ନିୟୋଜିତ ଥିଲେ। ଏହି ସମୟରେ ଗାଁ ଦାଣ୍ଡରେ କେତେକ ଦୁର୍ବୃତ୍ତ ତାଙ୍କୁ ଘେରିଯାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
ଭୋଟର ତାଲିକାକୁ ନେଇ ବିବାଦ ସନ୍ଦେହ
ତେବେ କେଉଁ କାରଣରୁ ଏହି ଆକ୍ରମଣ ହୋଇଛି ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଭୋଟର ତାଲିକାରୁ ନାମ ବାଦ୍ ଦେବା କିମ୍ବା ନୂଆ ନାମ ଯୋଡ଼ିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏହାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହି ଅନୁମାନର ସତ୍ୟତା ଏଯାଏଁ ନିଶ୍ଚିତ ହୋଇନାହିଁ।
ଘଟଣା ସମ୍ପର୍କରେ ଝାରବନ୍ଧ BDO ପର୍ଶୁରାମ ପଣ୍ଡା କହିଛନ୍ତି, ଆକ୍ରମଣର ପ୍ରକୃତ କାରଣ ଓ ଘଟଣା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ। ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।




