ନୂଆଦିଲ୍ଲୀରେ ଇଣ୍ଡି ମେଣ୍ଟର ପ୍ରତିବାଦ ସମାବେଶକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରବିବାର ପ୍ରାୟ ୧୦ ହଜାର ପୁଲିସ ଓ ଅର୍ଦ୍ଧସାମରିକ ସୁରକ୍ଷାକର୍ମୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ସମାବେଶ ଓ ପଦଯାତ୍ରା ଯେପରି ଶାନ୍ତିଶୃଙ୍ଖଳାର ସହ ଶେଷ ହୁଏ, ସେଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

୨୦୦ରୁ ଅଧିକ CCTV କ୍ୟାମେରାରେ ନଜର

ସେଣ୍ଟ୍ରାଲ ଦିଲ୍ଲୀର ଡିସିପି ରୋହିତ ରାଜବୀରଙ୍କ ସୂଚନା ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସମ୍ପୃକ୍ତ ଅଞ୍ଚଳରେ ୨୦୦ରୁ ଅଧିକ CCTV କ୍ୟାମେରା ଲଗାଯାଇଛି। ରାଲି ସ୍ଥଳ ଓ ଏହାର ଆଖପାଖର ସମସ୍ତ ପ୍ରବେଶ ପଥରେ ପୁଲିସ କର୍ମଚାରୀଙ୍କୁ ସଜାଗ ରଖାଯାଇଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ପ୍ରତିବାଦ ପଦଯାତ୍ରା ସମ୍ପର୍କରେ ଘୋଷଣା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସମାବେଶ ପାଇଁ ଆବଶ୍ୟକ ସୁରକ୍ଷା ଓ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଥିଲା।

ଟ୍ରାଫିକ୍‌ ରୁଟ୍‌ରେ ପରିବର୍ତ୍ତନ

ସମାବେଶ ଯୋଗୁଁ କେନ୍ଦ୍ରୀୟ ଦିଲ୍ଲୀର କେତେକ ପ୍ରମୁଖ ରାସ୍ତାରେ ଟ୍ରାଫିକ୍‌ କଟକଣା ଜାରି କରିଥିଲା ଦିଲ୍ଲୀ ଟ୍ରାଫିକ୍‌ ପୁଲିସ। ଯାନବାହନ ଚଳାଚଳକୁ ସୁଗମ ରଖିବା ପାଇଁ କେତେକ ମାର୍ଗରେ ରୁଟ୍‌ ଡାଇଭର୍ସନ୍‌ କରାଯାଇଥିଲା। ଏହି କଟକଣା ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା।

ପ୍ରତିବାଦ ପରେ ବଜାରରୁ କିଣାକିଣି ପାଇଁ ରାହୁଲଙ୍କ ଆହ୍ୱାନ

ଅନ୍ୟପକ୍ଷରେ, ଇଣ୍ଡି ମେଣ୍ଟର ପ୍ରତିବାଦ କାର୍ଯ୍ୟକ୍ରମ ପରେ ଦିଲ୍ଲୀର ସ୍ଥାନୀୟ ବ୍ୟବସାୟୀଙ୍କଠାରୁ କିଣାକିଣି କରିବାକୁ ଆହ୍ୱାନ ଦେଇଛନ୍ତି ରାହୁଲ ଗାନ୍ଧୀ। ନିଜର ଏକ୍ସ ଆକାଉଣ୍ଟରେ ସେ କହିଛନ୍ତି, ପ୍ରତିବାଦ ଓ ପଦଯାତ୍ରାରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ଅଞ୍ଚଳରୁ ଦିଲ୍ଲୀ ଆସୁଥିବା ଲୋକମାନେ ପାର୍ବଣ ଋତୁରେ ସ୍ଥାନୀୟ ବ୍ୟବସାୟୀଙ୍କୁ ସହଯୋଗ କରନ୍ତୁ।

ପ୍ରତିବାଦ ସହିତ ବଜାରରୁ କିଛି ସାମଗ୍ରୀ କିଣିବା ଦ୍ୱାରା ଦିଲ୍ଲୀର ଛୋଟ ଓ ବଡ଼ ବ୍ୟବସାୟୀମାନେ ଉପକୃତ ହୋଇପାରିବେ ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।