ସୁନ୍ଦରଗଡ଼: ସାଇକେଲରେ ଭାରତ ଭ୍ରମଣ ସହ ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟ ନେଇ ଯାତ୍ରା ଆରମ୍ଭ କରିଛନ୍ତି ଉତ୍ତରପ୍ରଦେଶର ଦୁଇ ଭାଇ। ଜାଲୌନ ଜିଲ୍ଲାର ବୁନ୍ଦେଲଖଣ୍ଡ ଅଞ୍ଚଳର ସୋନୁ କୁମାର ଓ ପଙ୍କଜ କୁମାର ସାଇକେଲରେ ପ୍ରାୟ ୮୦ ହଜାର କିଲୋମିଟର ଅତିକ୍ରମ କରିବାର ଲକ୍ଷ୍ୟ ରଖିଛନ୍ତି।

ଏହି ଯାତ୍ରାରେ ଦୁଇ ଭାଇ ଏଯାବତ୍ ୧୪,୫୦୦ କିଲୋମିଟର ଅତିକ୍ରମ କରିସାରିଛନ୍ତି। ୧୪ତମ ରାଜ୍ୟ ଭାବେ ସେମାନେ ସୁନ୍ଦରଗଡ଼ ଜିଲ୍ଲାର ଯୋଗୀମାଲ ପଞ୍ଚାୟତ ଅନ୍ତର୍ଗତ ମହାବୀର ଛକରେ ପହଞ୍ଚିଛନ୍ତି। ସେଠାରେ ସେମାନଙ୍କୁ ଦେଖିବା ଏବଂ ଯାତ୍ରା ସମ୍ପର୍କରେ ଜାଣିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଥିଲା।

୨୦୨୫ ନଭେମ୍ବର ୧୫ ତାରିଖରୁ ଏହି ଦୁଃସାହସିକ ଯାତ୍ରା ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଦୁଇ ଭାଇ ବିଭିନ୍ନ ରାଜ୍ୟ ଓ ସହର ପରିକ୍ରମା କରିବା ସହ ଦୁଇଟି ଧାମ ଏବଂ ୭ଟି ଜ୍ୟୋତିର୍ଲିଙ୍ଗ ଦର୍ଶନ କରିସାରିଛନ୍ତି। ସାଇକେଲ ଯାତ୍ରା ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳର ଲୋକଙ୍କ ସହ ମିଶିବା ଏବଂ ଭାରତର ବିବିଧତାକୁ ନିକଟରୁ ଅନୁଭବ କରିବା ସେମାନଙ୍କ ଯାତ୍ରାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ସୋନୁ ଓ ପଙ୍କଜ କହିଛନ୍ତି।

ସୁନ୍ଦରଗଡ଼ରୁ ଝାରସୁଗୁଡ଼ା ଦେଇ ସମ୍ବଲପୁର ଯାଇ ସେଠାରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ରାତ୍ରିଯାପନ କରିବେ। ଏହାପରେ ସୋମବାର ପୁରୀ ଅଭିମୁଖେ ଯାତ୍ରା କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ। ପୁରୀରୁ ପରବର୍ତ୍ତୀ ଗନ୍ତବ୍ୟସ୍ଥଳ କୋଲକାତା ରହିଛି।

ଭାରତର ସମସ୍ତ ୩୦ଟି ରାଜ୍ୟର ଛୋଟବଡ଼ ସହର ପରିକ୍ରମା କରି ପ୍ରାୟ ୮୦ ହଜାର କିଲୋମିଟର ଯାତ୍ରା ଶେଷ କରିବା ପରେ ୨୦୨୮ ମସିହାରେ ନିଜ ଘରକୁ ଫେରିବେ ବୋଲି ସୋନୁ କୁମାର କହିଛନ୍ତି। ଦୀର୍ଘ ଯାତ୍ରା ଓ ଦୃଢ଼ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଥିବା ଏହି ଦୁଇ ଭାଇଙ୍କ ଉଦ୍ୟମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।