ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ମୁରସୁ’ର ପ୍ରଭାବ ମଧ୍ୟରେ ଓଡ଼ିଶାର ୧୦ଟି ଜିଲ୍ଲାରେ ଆଗାମୀ ୩ ଘଣ୍ଟା ମଧ୍ୟରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସକାଳ ୮:୦୦ ଟାରେ ଏକ ଜରୁରୀ ‘ନାଓକାଷ୍ଟ’ ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ରାଜ୍ୟର ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାଣିପାଗରେ ଆକସ୍ମିକ ପରିବର୍ତ୍ତନ ଦେଖାଦେଇପାରେ। ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକର ସାଧାରଣ ନାଗରିକଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି:
ଆକାଶ ମେଘାଚ୍ଛାନ୍ନ ହେବା ସହ ପାଣିପାଗ ଖରାପ ହେଲେ ତୁରନ୍ତ ନିରାପଦ ସ୍ଥାନକୁ ସ୍ଥାନାନ୍ତର ହୁଅନ୍ତୁ। ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ମୂଳେ କିମ୍ବା ବିଦ୍ୟୁତ୍ ଖୁଣ୍ଟ ନିକଟରେ ଛିଡ଼ା ନହୋଇ ପକ୍କା ଘର କିମ୍ବା ସୁରକ୍ଷିତ ଆଶ୍ରୟସ୍ଥଳୀ ମଧ୍ୟରେ ରହିବାକୁ କୁହାଯାଇଛି। ରାସ୍ତାରେ ଯାତାୟାତ କରୁଥିବା ଲୋକମାନଙ୍କୁ ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ଏବଂ ଆବଶ୍ୟକ ସ୍ଥଳେ ଯାତ୍ରା ସ୍ଥଗିତ ରଖିବାକୁ ବୁଲେଟିନ୍ରେ ଉଲ୍ଲେଖ କରାଯାଇଛି।
ପ୍ରଶାସନ ପକ୍ଷରୁ ମଧ୍ୟ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ସ୍ଥିତି ଉପରେ କ୍ରମାଗତ ନଜର ରଖାଯାଇଛି।




