ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶାର ବିଶିଷ୍ଟ ନ୍ୟୁରୋସର୍ଜନ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି। ସୋମବାର ରାତିରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୭୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶା ସମେତ ଦେଶର ଚିକିତ୍ସା ଜଗତରେ ଶୋକର ଛାୟା ଖେଳିଯାଇଛି।

ଡା. ମହାପାତ୍ର ଗତ ଅକ୍ଟୋବର ୨ ତାରିଖରୁ ଏମ୍ସ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ପ୍ରଥମେ ତୀବ୍ର ମୁଣ୍ଡବିନ୍ଧା ଯୋଗୁଁ ତାଙ୍କୁ ଭୁବନେଶ୍ୱରର ସମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରୁ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ସହାୟତାରେ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା।

ଜଗା-ବଳିଆଙ୍କ ବିରଳ ଅସ୍ତ୍ରୋପଚାରରେ ନେଇଥିଲେ ନେତୃତ୍ୱ

୨୦୧୭ ମସିହାରେ ଓଡ଼ିଶାର କନ୍ଧମାଳ ଜିଲ୍ଲାର ଯମଜ ଶିଶୁ ଜଗା ଓ ବଳିଆଙ୍କୁ ଅଲଗା କରିବା ପାଇଁ ହୋଇଥିବା ଜଟିଳ ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିଲେ ଡା. ମହାପାତ୍ର। ଦିଲ୍ଲୀ ଏମ୍ସରେ ଦୁଇ ପର୍ଯ୍ୟାୟରେ ହୋଇଥିବା ଏହି ଅସ୍ତ୍ରୋପଚାର ଭାରତୀୟ ଚିକିତ୍ସା ଇତିହାସରେ ଏକ ଉଲ୍ଲେଖନୀୟ ସଫଳତା ଭାବେ ପରିଚିତ। ଏହି ଅସାଧାରଣ ଚିକିତ୍ସା ସଫଳତା ତାଙ୍କୁ ଦେଶବ୍ୟାପୀ ପରିଚିତି ଦେଇଥିଲା। ୨୦୨୦ରେ ଏହି ସଫଳତା ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲା।

ଏମ୍ସ ଦିଲ୍ଲୀରୁ ଏମ୍ସ ଭୁବନେଶ୍ୱର ପର୍ଯ୍ୟନ୍ତ ଉଲ୍ଲେଖନୀୟ ଯାତ୍ରା

୧୯୫୨ ଡିସେମ୍ବର ୨୯ରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଡା. ମହାପାତ୍ର। ୧୯୭୫ରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜରୁ ଏମ୍‌ବିବିଏସ୍ ଶେଷ କରିବା ପରେ ଦିଲ୍ଲୀ ଏମ୍ସରୁ ସର୍ଜରୀରେ ଏମ୍‌ଏସ୍ ଏବଂ ନ୍ୟୁରୋସର୍ଜରୀରେ ଏମ୍‌ସିଏଚ୍ ଡିଗ୍ରି ହାସଲ କରିଥିଲେ।

୧୯୮୩ରେ ଦିଲ୍ଲୀ ଏମ୍ସର ନ୍ୟୁରୋସର୍ଜରୀ ବିଭାଗରେ ତାଙ୍କ ଶିକ୍ଷାଦାନ ଓ ଚିକିତ୍ସା ଜୀବନ ଆରମ୍ଭ ହୋଇଥିଲା। ଦୀର୍ଘ ୩୪ ବର୍ଷ ଧରି ସେଠାରେ କାମ କରିବା ସମୟରେ ପ୍ରଫେସର, ବିଭାଗୀୟ ମୁଖ୍ୟ ଓ ଡିନ୍ ରିସର୍ଚ୍ଚ ଭଳି ଦାୟିତ୍ୱ ତୁଲାଇଥିଲେ। ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍‌ର ନିର୍ଦ୍ଦେଶକ ଥିଲେ।

୨୦୧୨ରେ ସେ ଏମ୍ସ ଭୁବନେଶ୍ୱରର ପ୍ରଥମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଅନୁଷ୍ଠାନର ଶିକ୍ଷା, ଗବେଷଣା ଓ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ପରେ ସେ ଶିକ୍ଷା ଓ ଅନୁସନ୍ଧାନ (SOA) ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିଲେ। ଶେଷ ସମୟରେ ସେ ଏହି ଅନୁଷ୍ଠାନର ପ୍ରିନ୍ସିପାଲ୍ ଆଡଭାଇଜର୍ (ହେଲ୍ଥ ସାଇନ୍ସେସ୍) ଭାବେ କାର୍ଯ୍ୟରତ ଥିଲେ।

ଚିକିତ୍ସା ଗବେଷଣାରେ ମଧ୍ୟ ରଖିଥିଲେ ଛାପ

ଚିକିତ୍ସା ଓ ଶିକ୍ଷା କ୍ଷେତ୍ରରେ ଡା. ମହାପାତ୍ରଙ୍କ ଅବଦାନ ଅତୁଳନୀୟ। ତାଙ୍କ ନାମରେ ପ୍ରାୟ ୮୭୦ଟି ଗବେଷଣା ପ୍ରକାଶନ, ୧୬ଟି ପୁସ୍ତକ ଓ ୧୪୦ରୁ ଅଧିକ ପୁସ୍ତକ ଅଧ୍ୟାୟ ରହିଛି। ସେ ୧୨ ଜଣ ପିଏଚ୍‌ଡି ଗବେଷକଙ୍କୁ ମାର୍ଗଦର୍ଶନ କରିବା ସହ ୨୦ରୁ ଅଧିକ ଗବେଷଣା ପ୍ରକଳ୍ପ ସହ ଜଡ଼ିତ ଥିଲେ।

ଚିକିତ୍ସା ବିଜ୍ଞାନ ପ୍ରତି ତାଙ୍କର ଅସାଧାରଣ ଅବଦାନ ପାଇଁ ଭାରତ ସରକାର ୨୦୨୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ଏହା ବ୍ୟତୀତ ସେ ପ୍ରାୟ ୭୫ଟି ପୁରସ୍କାର ଓ ସମ୍ମାନ ପାଇଥିଲେ। ଜଣେ ଦକ୍ଷ ନ୍ୟୁରୋସର୍ଜନ, ଗବେଷକ, ଶିକ୍ଷାବିତ୍ ଓ ଅନୁଷ୍ଠାନ ନିର୍ମାତା ଭାବେ ତାଙ୍କର ଅବଦାନ ଦୀର୍ଘଦିନ ଧରି ସ୍ମରଣୀୟ ହୋଇ ରହିବ।