ବାଲେଶ୍ୱର: ଜାତୀୟ ରାଜପଥ-୬୦ (NH-60) ର ଖଡ଼ଗପୁର-ବାଲେଶ୍ୱର ସେକ୍ସନ୍‌କୁ ୬ ଲେନ୍‌ରେ ପରିଣତ କରିବା ପ୍ରକଳ୍ପକୁ ତୁରନ୍ତ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ପୂର୍ବରୁ ଟ୍ରାଫିକ୍ ବେଞ୍ଚମାର୍କ କୋହଳ କରାଯାଇଥିଲେ ହେଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତିରେ ଅହେତୁକ ବିଳମ୍ବ ହେଉଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।

ଗତ ନଭେମ୍ବର ୨ ତାରିଖରେ ଲେଖିଥିବା ଚିଠିରେ ସାଂସଦ ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।

ପୂର୍ବରୁ ଏହି ପ୍ରକଳ୍ପର ୬ ଲେନିଂ ପାଇଁ ଆବଶ୍ୟକୀୟ ଟ୍ରାଫିକ୍ ନିୟମାବଳୀକୁ କୋହଳ କରିବାକୁ ମନ୍ତ୍ରୀ ଗଡ଼କରୀ ସମ୍ମତି ଦେଇଥିଲେ ଏବଂ ଡିପିଆର୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ହୋଇଥିଲା।ଏତେ ସବୁ ସକାରାତ୍ମକ ପଦକ୍ଷେପ ଏବଂ ଯଥେଷ୍ଟ ସମୟ ବିତିଯାଇଥିଲେ ସୁଦ୍ଧା ଡିପିଆର୍ ପ୍ରସ୍ତୁତିରେ କୌଣସି ଆଶାନୁରୂପ ଅଗ୍ରଗତି ହୋଇନାହିଁ, ଯାହା ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ବାଧା ସୃଷ୍ଟି କରୁଛି।

ଖଡ଼ଗପୁର-ବାଲେଶ୍ୱର ରାଜପଥ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଯୋଡ଼ୁଥିବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ପରିବହନ ମାର୍ଗ। ଏହି ରାସ୍ତା ଦେଇ ନିୟମିତ ଭାବେ ହଜାର ହଜାର ଯାତ୍ରୀବାହୀ ଗାଡ଼ି, କୃଷିଜାତ ଦ୍ରବ୍ୟ ଏବଂ ଶିଳ୍ପାଞ୍ଚଳର ପଣ୍ୟଦ୍ରବ୍ୟ ପରିବହନ ହୋଇଥାଏ। ୬ ଲେନିଂ ହେବା ଦ୍ୱାରା ବଦ୍ଧିତ ଟ୍ରାଫିକ୍ ସମସ୍ୟାର ସମାଧାନ ହେବା ସହ ସଡ଼କ ଦୁର୍ଘଟଣା ହ୍ରାସ ପାଇବ। ଏହା ଆଞ୍ଚଳିକ ବ୍ୟବସାୟ, ଶିଳ୍ପାୟନ ଏବଂ ଦୁଇ ରାଜ୍ୟ ମଧ୍ୟରେ ଅର୍ଥନୈତିକ କାରବାରକୁ ଆହୁରି ସୁଦୃଢ଼ କରିବ।

ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ଆନୁଷ୍ଠାନିକ କାର୍ଯ୍ୟ ଶୀଘ୍ର ଶେଷ କରି ତୁରନ୍ତ ୬ ଲେନ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସାଂସଦ ପ୍ରତାପ ଷଡ଼ଙ୍ଗୀ ଚିଠିରେ ଦାବି କରିଛନ୍ତି।