ଛତ୍ରପୁର: ଓଡ଼ିଶାର ଗଞ୍ଜାମ ଜିଲ୍ଲା ଗିଡ଼ିପାବଲିଠାରେ ଘଟିଥିବା ସାଂଘାତିକ ଭୂସ୍ଖଳନ ସ୍ଥଳରେ ଚାଲିଥିବା ଉଦ୍ଧାର ଅଭିଯାନ ପ୍ରତିକୂଳ ପାଗ ଯୋଗୁଁ ବୁଧବାର ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଅନ୍ୟପଟେ ଦୀର୍ଘ ଦିନ ଧରି ନିଖୋଜ ଥିବା ବ୍ୟକ୍ତିଙ୍କ ପରିବାରବର୍ଗ ସେମାନଙ୍କର ଶେଷକୃତ୍ୟ ଓ ପାରମ୍ପରିକ ରୀତିନୀତି ସମ୍ପାଦନ କରିବାକୁ ପ୍ରଶାସନ ନିକଟରେ ଆବେଦନ କରିଛନ୍ତି।
ତଥାପି, ଉଦ୍ଧାର ଅଭିଯାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପୂର୍ବରୁ ନିଖୋଜମାନଙ୍କୁ ଖୋଜିବା ପାଇଁ ଶେଷଥର ପାଇଁ ଆଉ ଗୋଟିଏ ପ୍ରଚେଷ୍ଟା କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।
ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାପାଳଙ୍କ ସମେତ କନ୍ଧମାଳ ଏସ୍ପି ମଙ୍ଗଳବାର କିଲାପଙ୍ଗାଠାରେ ଥିବା ରିଲିଫ୍ କ୍ୟାମ୍ପ ପରିଦର୍ଶନ କରି ୯ଟି ପୀଡ଼ିତ ପରିବାର ସହ ଆଲୋଚନା କରିଥିଲେ।
ଆଲୋଚନା ସମୟରେ, ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି ଯେ ସେମାନେ ଏହି ଦୁଃଖଦ ସତ୍ୟକୁ ସ୍ୱୀକାର କରି ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ନିଜ କୁଳପ୍ରଥା ଓ ସାମାଜିକ ରୀତିନୀତି ଅନୁଯାୟୀ ନିଖୋଜ ଆତ୍ମୀୟଙ୍କ ଶ୍ରାଦ୍ଧ ଓ ଶେଷକୃତ୍ୟ ସମ୍ପାଦନ କରିବାକୁ ସେମାନେ ନିବେଦନ କରିଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ଏବଂ ସେମାନଙ୍କ ପୁନର୍ବାସ ପାଇଁ ଆବଶ୍ୟକ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
ଗତ କିଛି ଦିନ ହେବ ଘଟଣାସ୍ଥଳରେ ବ୍ୟାପକ ସାଧନ ନିୟୋଜିତ କରାଯାଇଥିଲା।
ଲାଇଫ୍-ଡିଟେକ୍ସନ୍ ମେସିନ୍, ଡଗ୍ ସ୍କ୍ୱାଡ୍, ଆଇଆଇଟି (IIT) ବିଶେଷଜ୍ଞ, ଏନ୍ଡିଆର୍ଏଫ୍ (NDRF) ଜବାନ ଏବଂ ରେଳବାଇ ଟିମ୍ ଚାପି ହୋଇରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିରନ୍ତର ଚେଷ୍ଟା କରିଥିଲେ। ଏପରିକି ନିୟନ୍ତ୍ରିତ ବିସ୍ଫୋରଣ ମଧ୍ୟ କରାଯାଇଥିଲା।
ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଘଟଣାସ୍ଥଳରେ ଏବେ ବି ପ୍ରାୟ ୩୦ ଫୁଟ୍ ଉଚ୍ଚର ମାଟି ଓ ପଥର ଅଳିଆ ପଡ଼ିରହିଛି। ପରପର ୩ଟି ଭୂସ୍କଳନ ହୋଇଥିବାରୁ ଖୋଳାଖୋଡ଼ି କାର୍ଯ୍ୟ ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। ଅଧିକ ବିସ୍ଫୋରଣ କଲେ ପୁନର୍ବାର ନୂଆ ଭୂସ୍କଳନ ହୋଇ ଉଦ୍ଧାରକାରୀ ଜବାନଙ୍କ ଜୀବନ ବିପନ୍ନ ହେବାର ଆଶଙ୍କା ରହିଛି।
ପାଗ ସୁଧୁରିବା ପରେ ଆଉ ଦୁଇ ଦିନ ପାଇଁ ଅନ୍ତିମ ଉଦ୍ଧାର ଅଭିଯାନ କରାଯାଇ ପ୍ରକ୍ରିୟାକୁ ଆନୁଷ୍ଠାନିକ ଭାବେ ଶେଷ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।




