ଆସାମ: ପଶ୍ଚିମବଙ୍ଗର ବୁକ୍ସା ଟାଇଗର ରିଜର୍ଭରୁ ବାହାରି ୧୦୦ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରି ଆସାମର ଜନବସତି ଅଞ୍ଚଳକୁ ଚାଲିଆସିଥିବା ଏକ ବାଘୁଣୀକୁ ସଫଳତାର ସହ ଉଦ୍ଧାର କରାଯାଇଛି। ଆସାମ ଓ ପଶ୍ଚିମବଙ୍ଗ ବନ ବିଭାଗ, ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ମିଳିତ ସହଯୋଗରେ ଏହି ଜଟିଳ ଅପରେସନ୍‌କୁ ଶେଷ କରାଯାଇଥିବା ନେଇ ଆସାମ ମନ୍ତ୍ରୀ ଜୟନ୍ତ ମଲ୍ଲାବରୁଆ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଜୟନ୍ତ ମଲ୍ଲାବରୁଆ ସୋସିଆଲ ମିଡିଆ ‘X’ ରେ ଏହି ସଫଳ ଉଦ୍ଧାର ଅଭିଯାନର ପ୍ରଶଂସା କରିବା ସହ ଦୁଇ ରାଜ୍ୟ ମଧ୍ୟରେ ଥିବା ସମନ୍ୱୟ ଓ ବନ୍ୟଜନ୍ତୁ ସୁରକ୍ଷା ପ୍ରତି ନିଷ୍ଠାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ଅଭିହିତ କରିଛନ୍ତି।

ଉଦ୍ଧାର ହୋଇଥିବା ବାଘୁଣୀଟିକୁ ‘BT1’ ଭାବେ ଚିହ୍ନଟ କରାଯାଇଛି। ଗତ ଅକ୍ଟୋବର ୨ ତାରିଖରେ ଏହି ବାଘୁଣୀଟିକୁ ପଶ୍ଚିମବଙ୍ଗର ବୁକ୍ସା ଟାଇଗର ରିଜର୍ଭରେ ଛଡ଼ାଯାଇଥିଲା। ବାଘୁଣୀଟି ରାଜ୍ୟ ସୀମା ପାର ହୋଇ ଆସାମର ବୋଡୋଲ୍ୟାଣ୍ଡ ଆଞ୍ଚଳିକ ପରିଷଦ (BTR) ଅନ୍ତର୍ଗତ ରାଇମୋନା ଜାତୀୟ ଉଦ୍ୟାନରେ ପ୍ରବେଶ କରିଥିଲା। ଅକ୍ଟୋବର ୨୩ ପରଠାରୁ ବାଘୁଣୀଟି କ୍ରମାଗତ ଭାବେ ଜଙ୍ଗଲୀ ରାସ୍ତା ଦେଇ ଗତି କରି ଶେଷରେ କୋକ୍ରାଝାର ଜିଲ୍ଲାର ମାନବ ସୁରକ୍ଷା ଅଞ୍ଚଳ ଓ ଗ୍ରାମ ନିକଟତର ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ ବାଘୁଣୀର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିଲା।

ଲୋକଙ୍କ ଜୀବନ ଓ ବାଘୁଣୀର ସୁରକ୍ଷା ପ୍ରତି ଥିବା ବିପଦକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ଏବଂ ଆସାମର ବନ ଅଧିକାରୀମାନେ ମିଳିତ ଭାବେ ଟ୍ରାକିଂ ଓ ମୋନିଟରିଂ ଆରମ୍ଭ କରିଥିଲେ।

ଆସାମ ମନ୍ତ୍ରୀ କହିଛନ୍ତି ଯେ, “ବନ୍ୟଜନ୍ତୁଙ୍କ ଚଳପ୍ରଚଳ କୌଣସି ଭୌଗୋଳିକ କିମ୍ବା ରାଜନୈତିକ ସୀମା ମଧ୍ୟରେ ସୀମିତ ରହେନାହିଁ। ଏହିପରି ସମ୍ବେଦନଶୀଳ ଘଟଣା ପ୍ରମାଣିତ କରେ ଯେ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ପଡ଼ୋଶୀ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ କେତେ ଆବଶ୍ୟକ।”

ସୌଭାଗ୍ୟବଶାତଃ ବାଘୁଣୀ ‘BT1’ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ଏବଂ ଏହି ଅପରେସନ୍ ଉତ୍ତର-ପୂର୍ବ ଭାରତର ବନ୍ୟଜନ୍ତୁ କୋରିଡୋର୍ ସୁରକ୍ଷା ପାଇଁ ଏକ ଶ୍ରେଷ୍ଠ ଉଦାହରଣ ପାଲଟିଛି।