ତିରୁବନନ୍ତପୁରମ୍: କେରଳ ପବ୍ଲିକ୍ ସର୍ଭିସ୍ କମିଶନ୍ (PSC) ନିଯୁକ୍ତି ବିବାଦକୁ ନେଇ ଆସୁଥିବା ନୂଆ ନୂଆ ତଥ୍ୟକୁ ‘ଉଦ୍‌ବେଗଜନକ’ ବୋଲି ଅଭିହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନ। ବୁଧବାର କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ରାଜ୍ୟର ଏହି ପ୍ରମୁଖ ନିଯୁକ୍ତି ସଂସ୍ଥାର ବିଶ୍ୱସନୀୟତା ପୁନରୁଦ୍ଧାର କରିବା ପାଇଁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

ପିଏସ୍‌ସି ଜରିଆରେ ଦଳୀୟ କର୍ମୀ ଓ ସମ୍ପର୍କୀୟଙ୍କୁ ନିଯୁକ୍ତି ଦେବା ସାଧାରଣ ଜନତାଙ୍କ ସହ ବିଶ୍ୱାସଘାତକତା। ପ୍ରତିଦିନ ପିଏସ୍‌ସି ପରୀକ୍ଷା ସମ୍ପର୍କିତ ଅଭିଯୋଗ ସାମ୍ନାକୁ ଆସୁଛି। ଏହି ମାମଲାରେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ଉପଯୁକ୍ତ ସମୟରେ ସମସ୍ତ ତଥ୍ୟ ସାର୍ବଜନୀନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ବିଦ୍ୟୁତ୍ କ୍ରୟ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନ ବିରୋଧୀ ଦଳ ନେତା ପିନାରାୟୀ ବିଜୟନଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଆଧାରହୀନ ବକ୍ତବ୍ୟ ଦେଉଛନ୍ତି। ପୂର୍ବତନ ଏଲ୍‌ଡିଏଫ୍ (LDF) ସରକାର ମଧ୍ୟ ସେହି ସମାନ ଘରୋଇ କମ୍ପାନୀଠାରୁ ବିଦ୍ୟୁତ୍ କିଣିଥିଲେ, ଯାହା ସହ ବର୍ତ୍ତମାନର ସରକାର ଆଲୋଚନା କରୁଛନ୍ତି।ପୂର୍ବତନ ସରକାର ରାଜ୍ୟର ଭବିଷ୍ୟତ ବିଦ୍ୟୁତ୍ ଆବଶ୍ୟକତାକୁ ସଠିକ୍ ଆକଳନ କରିବା ଏବଂ ସମୟପୋଯୋଗୀ ଅର୍ଡର ଦେବାରେ ବିଫଳ ହୋଇଥିଲେ।

‘ମିଶନ୍ ସମୁଦ୍ର’ ପ୍ରକଳ୍ପ ସମ୍ପର୍କରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ବାମପନ୍ଥୀ ଦଳଗୁଡ଼ିକ ସବୁବେଳେ ବିକାଶମୂଳକ କାର୍ଯ୍ୟକୁ ବିରୋଧ କରିଆସିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମ୍ମନ ଚାଣ୍ଡି ଯଦି ସିପିଆଇ(ଏମ୍)ର ଆନ୍ଦୋଳନ ଆଗରେ ଓହରି ଯାଇଥାନ୍ତେ, ତେବେ କେରଳ ଭିଜିଞ୍ଜମ୍ ବନ୍ଦର ଭଳି ବଡ଼ ବିକାଶମୂଳକ ସୁଯୋଗ ହରାଇଥାନ୍ତା। ବନ୍ଦର ସମ୍ପ୍ରସାରଣ ସହ ସୃଷ୍ଟି ହେବାକୁ ଥିବା ନିଯୁକ୍ତି ସୁଯୋଗ ପାଇଁ ମତ୍ସ୍ୟଜୀବୀଙ୍କ ପିଲାମାନଙ୍କୁ ପ୍ରସ୍ତୁତ କରିବାକୁ ସରକାର ଏକ ନୂତନ ଶିକ୍ଷାଗତ କାର୍ଯ୍ୟକ୍ରମ ଆରମ୍ଭ କରିବେ।

ମଦ ନୀତି, ପର୍ଯ୍ୟଟନ ଓ IAS ବଦଳି:

  • ନୂଆ ମଦ ନୀତି: ସରକାର ବାର୍ ଲାଇସେନ୍ସ ଦେବା ପାଇଁ ପୂର୍ବ ସରକାରଙ୍କ ନିୟମ ଅନୁସରଣ କରିବେ ନାହିଁ। ଶୀଘ୍ର ଏକ ନୂତନ ମଦ ନୀତି ଘୋଷଣା କରାଯିବ।
  • ପର୍ଯ୍ୟଟନ ପ୍ରକଳ୍ପ: ଏକ ଆକ୍ୱାରିୟମ୍ ଏବଂ ମାରିଟାଇମ୍ ମ୍ୟୁଜିୟମ୍ ପ୍ରକଳ୍ପ ଚିଠା ପ୍ରସ୍ତାବକୁ ସରକାରୀ ମଞ୍ଜୁରୀ ମିଳିଛି। ଶୀଘ୍ର MoU ସ୍ୱାକ୍ଷର ହେବ।
  • IAS ବଦଳି: ନିକଟରେ ହୋଇଥିବା ଆଇଏଏସ୍ ଅଧିକାରୀଙ୍କ ବଦଳି ପ୍ରଶାସନିକ ପ୍ରକ୍ରିୟାର ଏକ ସାଧାରଣ ଅଂଶ ଏବଂ ସରକାର ସମସ୍ତ ନିୟମ ପାଳନ କରିଛନ୍ତି।