ଭୁବନେଶ୍ୱର: ଜଣ୍ଡିସ୍‌ର କୋପ ମଧ୍ୟରେ ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପୁଣି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ବିଶ୍ୱବିଦ୍ୟାଳୟର ୭ ନମ୍ବର ଲେଡିଜ୍ ହଷ୍ଟେଲ୍‌ରେ ଦିଆଯାଉଥିବା ଖାଦ୍ୟରୁ ମୃତ ବେଙ୍ଗ ବାହାରିବା ଅଭିଯୋଗ ପରେ ଅନ୍ତେବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଓ ଆତଙ୍କ ପ୍ରକାଶ ପାଇଛି।

ମଙ୍ଗଳବାର ରାତିରେ ଅନ୍ତେବାସୀଙ୍କୁ ଦିଆଯାଇଥିବା ଚିଲି ସୋୟାବିନ୍ ତରକାରୀରୁ ଏକ ମୃତ ବେଙ୍ଗ ମିଳିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ହଷ୍ଟେଲ୍‌ରେ ପରିଷ୍କାର ପରିଚ୍ଛନ୍ନତା ଏବଂ ଖାଦ୍ୟ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ହଷ୍ଟେଲ୍‌ରେ ଜଣ୍ଡିସ୍ ବ୍ୟାପିବାରେ ଲାଗିଛି। ୭ ନମ୍ବର ଲେଡିଜ୍ ହଷ୍ଟେଲ୍‌ର ଦୁଇ ଜଣ ଛାତ୍ରୀ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ୱ ସନ୍ଦିଗ୍ଧ ଛାତ୍ରୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଜଣ୍ଡିସ୍‌ର ପ୍ରକୃତ କାରଣ ଜାଣିବା ପାଇଁ ହଷ୍ଟେଲ୍‌ରୁ ଖାଦ୍ୟ ଏବଂ ପାନୀୟ ଜଳର ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି।

ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ହଷ୍ଟେଲ୍‌ଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ଏବଂ ସତର୍କତାମୂଳକ ପଦକ୍ଷେପ ଭାବେ ବିଭିନ୍ନ ସ୍ଥାନରେ ହଟ୍ ୱାଟର ବଏଲର ସ୍ଥାପନ କରାଯାଇଛି।

କ୍ୟାମ୍ପସ ମଧ୍ୟରେ ଚାଲୁଥିବା ସମସ୍ତ ଖାଦ୍ୟ ଦୋକାନଗୁଡ଼ିକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ଏବଂ ସ୍ଥିତି ଉପରେ ନଜର ରଖିବା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି।