ତିରୁବନନ୍ତପୁରମ୍: ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ୨୦୦୬ ମସିହାରେ କେରଳର ଲୋକନିର୍ମାଣ ବିଭାଗ ସଚିବ ଥିବା ସମୟରେ ସରକାରୀ କଣ୍ଟ୍ରାକ୍ଟରଙ୍କଠାରୁ ୨ କୋଟି ଟଙ୍କାର ଲାଞ୍ଚ ମାଗିବା ଅଭିଯୋଗରେ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ ମଞ୍ଜୁରୀ ମିଳିଛି।
ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ବୁଧବାର ସୂଚନା ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନଙ୍କ ସହ ଆଲୋଚନା କରିବା ପରେ ଦୁର୍ନୀତି ନିବାରଣ ଆଇନର ଧାରା ୧୭(A) ଅଧୀନରେ ଏହି ତଦନ୍ତ ପ୍ରକ୍ରିୟା ପାଇଁ ଅନୁମୋଦନ ଦିଆଯାଇଛି।
ଠିକାଦାର ଭି.ଓ. ସାଜନଙ୍କ ଅଭିଯୋଗ ଓ ସାଂଘାତିକ ଖୁଲାସା ପରେ ଏହି ମାମଲା ପୁନର୍ବାର ସାମ୍ନାକୁ ଆସିଛି।କେରଳ ରାଜ୍ୟ ପରିବହନ ପ୍ରକଳ୍ପ (KSTP) କାର୍ଯ୍ୟ ହାତକୁ ନେଇଥିବା ‘ପାଥିବେଲ୍’ କମ୍ପାନୀର ବାକି ବିଲ୍ ମଞ୍ଜୁର କରିବା ପାଇଁ ଜ୍ଞାନେଶ କୁମାର ୨ କୋଟି ଟଙ୍କା ଲାଞ୍ଚ ମାଗିଥିବା ସାଜନ ଅଭିଯୋଗ କରିଛନ୍ତି।ଏହି କମ୍ପାନୀ ସହ ଜଡ଼ିତ ମାଲେସିଆନ୍ ଇଞ୍ଜିନିୟର ଲି ସି ବିନ୍ ବାକି ଟଙ୍କା ନମିଳିବାରୁ ପ୍ରଚଣ୍ଡ ମାନସିକ ଚାପରେ ରହି ଶେଷରେ ଆତ୍ମହତ୍ୟା କରିଥିଲେ। ସାଜନ ଏହି କମ୍ପାନୀର ଜଣେ ସବ୍-କଣ୍ଟ୍ରାକ୍ଟର ଥିଲେ।
ଗୃହମନ୍ତ୍ରୀ ଚେନ୍ନିଥାଲା ସ୍ପଷ୍ଟ କରିଛନ୍ତି ଯେ ଜ୍ଞାନେଶ କୁମାର ବର୍ତ୍ତମାନ ମୁଖ୍ୟ ନିର୍ବାଚନ ଆୟୁକ୍ତ ପଦବୀରେ ଥିଲେ ସୁଦ୍ଧା ତାଙ୍କର ପୂର୍ବତନ PWD ସଚିବ କାର୍ଯ୍ୟକାଳର ଦୁର୍ନୀତି ମାମଲାରେ ତଦନ୍ତ କରିବାରେ କୌଣସି ଆଇନଗତ ବାଧା ନାହିଁ।
ସୁପ୍ରିମ୍ କୋର୍ଟଙ୍କ ବିଭିନ୍ନ ରାୟ ଅନୁଯାୟୀ, ସାମ୍ବିଧାନିକ ସୁରକ୍ଷା ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ପଦବୀ ପାଇଁ ନିର୍ଦ୍ଧାରିତ, PWD ସଚିବ ଭାବେ କରିଥିବା ବ୍ୟକ୍ତିଗତ କାର୍ଯ୍ୟ ପାଇଁ ନୁହେଁ। ଏବେ ଭିଜିଲାନ୍ସ ଏବଂ ଆଣ୍ଟି-କରପ୍ସନ୍ ବ୍ୟୁରୋ (VACB) ଆଇନ ଅନୁଯାୟୀ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବ।




