ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ କରାଯିବା ପ୍ରସ୍ତୁତିକୁ ନେଇ ଓଡ଼ିଶାରେ ରାଜନୈତିକ ତତ୍ପରତା ବଢ଼ିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। କୋଟିଆରେ ଉତ୍ତେଜନା ବଢ଼ୁଥିବାରୁ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଉଚ୍ଚସ୍ତରରେ ଆଲୋଚନା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ନବୀନ ନଭେମ୍ବର ୪ ତାରିଖରେ ଲେଖିଥିବା ଚିଠିରେ କହିଛନ୍ତି ଯେ, କୋଟିଆରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଓ ମୁହାଁମୁହିଁ ସ୍ଥିତି ବଢ଼ୁଥିବା ଖବର ଚିନ୍ତାଜନକ। ଏଭଳି ପରିସ୍ଥିତିରେ ଆନ୍ଧ୍ରପ୍ରଦେଶ ନଭେମ୍ବର ୫ରେ କୋଟିଆରେ ନିର୍ବାଚନ କରିବାକୁ ଆଗେଇବା ଓଡ଼ିଶାର ସ୍ୱାର୍ଥ ଓ ଭୌଗୋଳିକ ଅଖଣ୍ଡତା ପାଇଁ ଉଦ୍‌ବେଗଜନକ ବୋଲି ସେ ଉଲ୍ଲେଖ କରିଛନ୍ତି।

ଚିଠିରେ ନବୀନ ଆହୁରି କହିଛନ୍ତି ଯେ, ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ବିଜେପି ନେତୃତ୍ୱାଧୀନ NDAର ଅଂଶୀଦାର ଦଳ ସରକାରରେ ଅଛନ୍ତି। ତେଣୁ ଏହି ରାଜନୈତିକ ସମୀକରଣକୁ ଉପଯୋଗ କରି ଓଡ଼ିଶାର ସୀମାଗତ ସ୍ୱାର୍ଥ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ୨୦୨୪ ନିର୍ବାଚନ ଇସ୍ତାହାରରେ କୋଟିଆ ପ୍ରସଙ୍ଗର ସମାଧାନ ଓ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ସୁରକ୍ଷା ପାଇଁ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ସେ ମନେ ପକାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ସ୍ୱାର୍ଥ ସୁରକ୍ଷା କରିବା ମୋହନ ମାଝୀଙ୍କ ନୈତିକ ଦାୟିତ୍ୱ ବୋଲି ନବୀନ ଚିଠିରେ ଲେଖିଛନ୍ତି। ପରିସ୍ଥିତି ଯେପରି ଆହୁରି ଜଟିଳ ନହୁଏ, ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କୋଟିଆର ୨୮ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଛି। ଏଥିମଧ୍ୟରୁ ୨୧ଟି ଗାଁ ଉପରେ ଉଭୟ ରାଜ୍ୟ ନିଜ ନିଜର ଦାବି କରୁଛନ୍ତି। ଆନ୍ଧ୍ରପ୍ରଦେଶ ପକ୍ଷରୁ ନଭେମ୍ବର ୫ରେ ଏହି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିବାକୁ ପଦକ୍ଷେପ ନିଆଯାଇଛି। ଏହାକୁ ନେଇ ଦୁଇ ରାଜ୍ୟର ପ୍ରଶାସନ ମଧ୍ୟରେ ଉତ୍ତେଜନା ବଢ଼ିଥିବା ରିପୋର୍ଟ ଆସିଛି।

ଏହି ବିବାଦକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାଖଲ କରିଛନ୍ତି। ଉଭୟ ରାଜ୍ୟକୁ ବିବାଦୀୟ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଆନ୍ଧ୍ରର ନିର୍ବାଚନ ପ୍ରସ୍ତୁତି ଏହି ବିବାଦକୁ ପୁଣି ଚର୍ଚ୍ଚାକୁ ଆଣିଛି।