ୱାଶିଂଟନ: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ରାଜନୈତିକ ଝଟକା ଲାଗିଛି। ନଭେମ୍ବର ୩ରେ ଅନୁଷ୍ଠିତ ନିର୍ବାଚନରେ ଡେମୋକ୍ରାଟ୍‌ମାନେ ଆମେରିକାର କଂଗ୍ରେସର ଉଭୟ ସଦନ—ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ ଓ ସିନେଟ୍‌ରେ ନିୟନ୍ତ୍ରଣ ହାସଲ କରିଛନ୍ତି। ଏହାଦ୍ୱାରା ଟ୍ରମ୍ପଙ୍କ ଶାସନର ଶେଷ ଦୁଇ ବର୍ଷରେ ତାଙ୍କ ନୀତି ଓ ନିଷ୍ପତ୍ତି ଉପରେ ବିରୋଧୀ ଦଳର ନଜରଦାରି ବଢ଼ିବ।

ନିର୍ବାଚନରେ ଡେମୋକ୍ରାଟ୍‌ମାନେ ପାରମ୍ପରିକ ଭାବେ ରିପବ୍ଲିକାନ୍‌ଙ୍କ ଗଡ଼ ଭାବେ ପରିଚିତ ଅନେକ ରାଜ୍ୟରେ ମଧ୍ୟ ବିଜୟ ହାସଲ କରିଛନ୍ତି। ଟେକ୍ସାସ୍‌, ସାଉଥ୍‌ କାରୋଲିନା, କାନ୍‌ସାସ୍‌ ଓ ଆଇଓୱା ଭଳି ରାଜ୍ୟରେ ଡେମୋକ୍ରାଟ୍‌ଙ୍କ ସଫଳତା ରିପବ୍ଲିକାନ୍‌ ଶିବିରକୁ ଝଟକା ଦେଇଛି। ଏହାକୁ ଟ୍ରମ୍ପଙ୍କ ଦ୍ୱିତୀୟ ପାଳିର ନୀତି ବିରୋଧରେ ଭୋଟରଙ୍କ ଅସନ୍ତୋଷର ପ୍ରତିଫଳନ ଭାବେ ଦେଖାଯାଉଛି।

ପରାଜୟ ପଛରେ ମହଙ୍ଗା ଦର ଓ ଇରାନ ଯୁଦ୍ଧ

ବିଶ୍ଳେଷକଙ୍କ ମତରେ, ଆମେରିକାରେ ଜୀବନଯାପନ ଖର୍ଚ୍ଚ ବୃଦ୍ଧି, ଇନ୍ଧନ ଦରରେ ଉତ୍ଥାନ ଏବଂ ଇରାନ ସହ ଯୁଦ୍ଧ ଭୋଟରଙ୍କ ଅସନ୍ତୋଷକୁ ବଢ଼ାଇଛି। ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁଁ ଆମଦାନି ସାମଗ୍ରୀର ମୂଲ୍ୟ ବଢ଼ିବା ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିଲା। ଏହା ସହ ଅଭିବାସନ ନୀତି ଓ ରାଷ୍ଟ୍ରପତିଙ୍କ ହାତରେ ଅଧିକ କ୍ଷମତା କେନ୍ଦ୍ରୀଭୂତ ହେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

Reuters ରିପୋର୍ଟ ଅନୁସାରେ, ଦୁଇ ବର୍ଷ ପୂର୍ବେ ଟ୍ରମ୍ପଙ୍କୁ ଭୋଟ୍‌ ଦେଇଥିବା କେତେକ ପାରମ୍ପରିକ ରିପବ୍ଲିକାନ୍‌ ସମର୍ଥକ ଏଥର ଡେମୋକ୍ରାଟ୍‌ଙ୍କ ଆଡ଼କୁ ଢଳିଛନ୍ତି। ଇରାନ ଯୁଦ୍ଧ ଓ ମହଙ୍ଗା ଦର ଏହି ପରିବର୍ତ୍ତନର ପ୍ରମୁଖ କାରଣ ଭାବେ ସାମ୍ନାକୁ ଆସିଛି।

ପରାଜୟର ଦାୟ ନିଜ ଉପରେ ନେଲେନି ଟ୍ରମ୍ପ

ନିର୍ବାଚନ ଫଳାଫଳ ପରେ ଟ୍ରମ୍ପ କହିଛନ୍ତି ଯେ ସେ ନିଜେ ନିର୍ବାଚନରେ ପ୍ରାର୍ଥୀ ନଥିଲେ। ଯଦି ସେ ଭୋଟ୍‌ ବାଲଟ୍‌ରେ ଥାଆନ୍ତେ, ତେବେ ରିପବ୍ଲିକାନ୍‌ମାନେ ବିପୁଳ ବିଜୟ ହାସଲ କରିଥାନ୍ତେ ବୋଲି ସେ ସୋସିଆଲ୍‌ ମିଡିଆରେ ଦାବି କରିଛନ୍ତି। ତେବେ ଫକ୍ସ ନ୍ୟୁଜ୍‌କୁ ଦେଇଥିବା ସାକ୍ଷାତକାରରେ ଇରାନ ଯୁଦ୍ଧ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଥାଇପାରେ ବୋଲି ସେ ସ୍ୱୀକାର କରିଛନ୍ତି।

ଟ୍ରମ୍ପଙ୍କ ନୀତି ଉପରେ ଡେମୋକ୍ରାଟ୍‌ଙ୍କ ନଜର

କଂଗ୍ରେସର ଉଭୟ ସଦନରେ ନିୟନ୍ତ୍ରଣ ମିଳିବା ପରେ ଡେମୋକ୍ରାଟ୍‌ମାନେ ଟ୍ରମ୍ପ ପ୍ରଶାସନର ବିଭିନ୍ନ ନିଷ୍ପତ୍ତି ଉପରେ ତଦନ୍ତ ଓ ଶୁଣାଣି କରିପାରିବେ। ଇରାନ ଯୁଦ୍ଧର ଖର୍ଚ୍ଚ, ଅଭିବାସନ ନୀତି, ଆମଦାନି ଶୁଳ୍କ ଏବଂ ପ୍ରଶାସନ ସହ ଜଡ଼ିତ ସ୍ୱାର୍ଥ ସଂଘର୍ଷ ଭଳି ପ୍ରସଙ୍ଗ ଉପରେ ତଦନ୍ତ ହେବାର ସମ୍ଭାବନା ରହିଛି।

ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ ସରକାରୀ ଖର୍ଚ୍ଚ ଓ ବଜେଟ୍‌ ଉପରେ ପ୍ରଭାବ ପକାଇପାରିବ। ଅନ୍ୟପକ୍ଷରେ ସିନେଟ୍‌ରେ ନିୟନ୍ତ୍ରଣ ଥିବାରୁ ଟ୍ରମ୍ପଙ୍କ ମନୋନୀତ ମନ୍ତ୍ରୀ, ବିଚାରପତି ଓ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିଯୁକ୍ତି ଉପରେ ମଧ୍ୟ ଡେମୋକ୍ରାଟ୍‌ମାନେ ପ୍ରଭାବ ପକାଇପାରିବେ।

ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ?

ଆମେରିକାରେ କ୍ଷମତା ସନ୍ତୁଳନ ବଦଳିବା ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ଶୁଳ୍କ ନୀତି, H-1B ଭିସା ଓ ଅଭିବାସନ ନିୟମ ଉପରେ ଡେମୋକ୍ରାଟ୍‌ଙ୍କ ଆଭିମୁଖ୍ୟ ନଜରରେ ରହିବ। ଏହା ସହ ଭାରତରେ ମାନବାଧିକାର ଓ ସଂଖ୍ୟାଲଘୁଙ୍କ ସ୍ଥିତି ସମ୍ପର୍କିତ ପ୍ରସଙ୍ଗ ମଧ୍ୟ ଆମେରିକୀୟ କଂଗ୍ରେସରେ ଅଧିକ ଆଲୋଚନାକୁ ଆସିପାରେ।

୨୦୨୮ର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ଫଳାଫଳ ଉଭୟ ଦଳର ରାଜନୈତିକ ରଣନୀତିକୁ ପ୍ରଭାବିତ କରିବ। ଟ୍ରମ୍ପଙ୍କ ରିପବ୍ଲିକାନ୍‌ ଦଳ ଭିତରେ ନେତୃତ୍ୱ ଓ ରଣନୀତିକୁ ନେଇ ଚର୍ଚ୍ଚା ବଢ଼ିବା ସହ ଡେମୋକ୍ରାଟ୍‌ ଶିବିରରେ ନୂଆ ନେତୃତ୍ୱ ପାଇଁ ମଧ୍ୟ ରାସ୍ତା ଖୋଲିବ।