ହାଇଦ୍ରାବାଦ: ତେଲେଙ୍ଗାନାର ଖମ୍ମମ୍ ଜିଲ୍ଲାସ୍ଥିତ ବେଥୁପଲ୍ଲୀ ହ୍ରଦର ପ୍ରବଳ ବନ୍ୟା ସ୍ରୋତରେ ବୋଟ୍ ବୁଡ଼ି ନିଖୋଜ ହୋଇଯାଇଥିବା ତେଲେଙ୍ଗାନା ରାଜ୍ୟ ଆପଦା ପ୍ରଶମନ ବଳ (SDRF), ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ଜଣେ ସ୍ଥାନୀୟ ନାଗରିକଙ୍କ ସମେତ ସମସ୍ତ ୧୧ ଜଣଙ୍କୁ ଗୁରୁବାର ସକାଳେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜାତୀୟ ଆପଦା ପ୍ରଶମନ ବଳ (NDRF) ଏବଂ ଅଗ୍ନିଶମ ବିଭାଗର ମିଳିତ ରାତ୍ରୀକାଳୀନ ଅପରେସନ୍ ପରେ ଏହି ସଫଳତା ମିଳିଛି।
ପ୍ରବଳ ବର୍ଷା ହେତୁ ବେଥୁପଲ୍ଲୀ ହ୍ରଦର ଜଳସ୍ତର ହଠାତ୍ ବୃଦ୍ଧି ପାଇବା ପରେ ଏହି ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଧବାର ଅପରାହ୍ଣରେ ୫ ଜଣ ମାଛଧରାଳି ହ୍ରଦ ମଧ୍ୟରେ ଜାଲ ପକାଇବାକୁ ଯାଇ ପ୍ରବଳ ସ୍ରୋତ ଯୋଗୁଁ ଫସି ରହିଥିଲେ।
ପ୍ରଥମେ ଖବର ପାଇ ଅଗ୍ନିଶମ ବାହିନୀ ଗୋଟିଏ ବୋଟ୍ ସାହାଯ୍ୟରେ ୩ ଜଣ ମାଛଧରାଳିଙ୍କୁ ସୁରକ୍ଷିତ ବାହାର କରିଥିଲେ। ମାତ୍ର ବାକି ୫ ଜଣ ମାଛଧରାଳି ହ୍ରଦ ମଝିରେ ଆଟକି ରହିଥିବାରୁ ସନ୍ଧ୍ୟା ୭.୩୦ ରେ ୧୦ ଜଣିଆ ସୁରକ୍ଷାକର୍ମୀ (କୋଠାଗୁଡେମ୍ ବାଟାଲିୟନର ୬ ଜଣ ପୋଲିସ ଓ ୪ ଜଣ ଅଗ୍ନିଶମ କର୍ମଚାରୀ) ଏବଂ ଜଣେ ସ୍ଥାନୀୟ ବ୍ୟକ୍ତି ଦୁଇଟି ବୋଟ୍ ନେଇ ଦ୍ୱିତୀୟ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ।
ହ୍ରଦର ଅତ୍ୟାଧିକ ପାଣି ସ୍ରୋତ ଯୋଗୁଁ ଦୁଇଟିଯାକ ଉଦ୍ଧାରକାରୀ ଡଙ୍ଗା ଓଲଟି ପଡ଼ିଥିଲା। ଫଳରେ SDRF ଓ ଅଗ୍ନିଶମ ଦଳର ୧୦ ଜଣ କର୍ମଚାରୀ ଏବଂ ସ୍ଥାନୀୟ ବ୍ୟକ୍ତି ଜଣକ ବନ୍ୟା ଜଳରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ।ହ୍ରଦ ମଝିରେ ଥିବା ଏକ ମାଟି ମୁଣ୍ଡିଆରେ ଆଶ୍ରୟ ନେଇଥିବା ୫ ଜଣ ମାଛଧରାଳିଙ୍କୁ ବିଜୟୱାଡ଼ାରୁ ଆସିଥିବା ଏନ୍ଡିଆର୍ଏଫ୍ (NDRF) ଟିମ୍ ରାତି ୧୧.୨୦ ରେ ସୁରକ୍ଷିତ ଉଦ୍ଧାର କରିଥିଲା।
ବୋଟ୍ ବୁଡ଼ି ଭାସିଯାଇଥିବା ୧୧ ଜଣ ନିଖୋଜ ଉଦ୍ଧାରକାରୀ ସୁରକ୍ଷିତ ଭାବେ ଏକାଠି ରହି ପ୍ରଶାସନ ସହ ଟେଲିଫୋନ୍ ଯୋଗାଯୋଗ କରିବାରେ ସଫଳ ହୋଇଥିଲେ। ସେମାନଙ୍କର ସଠିକ୍ ଅବସ୍ଥାନ ଚିହ୍ନଟ ହେବା ପରେ ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ଦଳ ଗୁରୁବାର ସକାଳ ସୁଦ୍ଧା ସମସ୍ତ ୧୧ ଜଣଙ୍କୁ ଜୀବନ୍ତ ଓ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।




