କୋରାପୁଟ: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା କୋଟିଆ ସୀମା ବିବାଦ ଭିତରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। କୋଟିଆ ପଞ୍ଚାୟତର ଉପର ସେମ୍ବି ଗାଁରେ ଆନ୍ଧ୍ର ପୁଲିସ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ ଚେକ୍ ପୋଷ୍ଟକୁ ହଟାଇ ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ଆଣିଛି ଓଡ଼ିଶା ପୁଲିସ। ଦୀର୍ଘ ଦିନ ହେବ ଏହି ଚେକ୍ ପୋଷ୍ଟ ଜରିଆରେ ଆନ୍ଧ୍ର ପୁଲିସ କୋଟିଆ ଅଞ୍ଚଳର ପ୍ରତ୍ୟେକ ଗତିବିଧି ଉପରେ ଗୁପ୍ତ ନଜର ରଖୁଥିବା ଅଭିଯୋଗ ହୋଇଆସୁଥିଲା।

ସୂଚନା ଅନୁଯାୟୀ, ଉପର ସେମ୍ବି ଗାଁରେ ଥିବା ଏହି ଚେକ୍ ପୋଷ୍ଟରେ ସିସିଟିଭି କ୍ୟାମେରା ଲଗାଯାଇ ତଦାରଖ କରାଯାଉଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏକ ସ୍ଥାନୀୟ ଚର୍ଚ୍ଚକୁ ପୁଲିସ ଫାଣ୍ଡି ଭାବରେ ବ୍ୟବହାର କରାଯାଉଥିଲା, ଯାହାଦ୍ୱାରା ଏହା ସାଧାରଣ ଲୋକଙ୍କ ନଜରକୁ ସହଜରେ ଆସୁନଥିଲା।

ଏହି ଚେକ୍ ପୋଷ୍ଟଟି ସିଧାସଳଖ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍‌ରେ ଥିବା ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ସହ ସଂଯୁକ୍ତ ଥିବା ଜଣାପଡ଼ିଛି। ପୂର୍ବରୁ ଏହି ଚେକ୍ ପୋଷ୍ଟକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପୁଲିସ ମଧ୍ୟରେ ଯୁକ୍ତିତର୍କ ଓ ତନାଘନା ମଧ୍ୟ ହୋଇଥିଲା।ତେବେ ଏ ସମ୍ପର୍କରେ ସଠିକ୍ ତଥ୍ୟ ହାସଲ କରିବା ପରେ ଓଡ଼ିଶା ପୁଲିସ ତତ୍ପରତା ପ୍ରକାଶ କରି ଚେକ୍ ପୋଷ୍ଟକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇଛି ଏବଂ ସେହି ଅଞ୍ଚଳକୁ ନିଜ କବ୍ଜାକୁ ନେଇଛି। କୋଟିଆରେ ଦୀର୍ଘକାଳୀନ ସୀମା ବିବାଦ ଜାରି ରହିଥିବା ବେଳେ ଆନ୍ଧ୍ରରେ ନିର୍ବାଚନ ଚାଲିଥିବା ଦିନ ଓଡ଼ିଶା ପୁଲିସର ଏହି ଦୃଢ଼ ପଦକ୍ଷେପ ରାଜ୍ୟରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।