ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (JNU)ର ଯୌନ ଉତ୍ପୀଡ଼ନ ମାମଲାରେ କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଆକୋଇଜାମଙ୍କୁ ଆଶ୍ୱସ୍ତି ମିଳିଛି। ଗିରଫ କରିବାର ଆବଶ୍ୟକତା ପଡ଼ିଲେ ତାଙ୍କୁ ୭ ଦିନ ପୂର୍ବରୁ ନୋଟିସ୍‌ ଦେବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

ଗୁରୁବାର ଅଗ୍ରିମ ଜାମିନ ଆବେଦନର ଶୁଣାଣି କରି ସ୍ୱତନ୍ତ୍ର ବିଚାରପତି ଦିଗ୍‌ ବିନୟ ସିଂହ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆକୋଇଜାମଙ୍କ ଅଗ୍ରିମ ଜାମିନ ଆବେଦନର ଶୁଣାଣିକୁ ଶେଷ କରିଛନ୍ତି। ତେବେ ଏହାକୁ ମାମଲାରୁ ମୁକ୍ତି କିମ୍ବା ଅଭିଯୋଗରୁ ଦୋଷମୁକ୍ତ ହେବା ବୋଲି ବିବେଚନା କରାଯାଇପାରିବ ନାହିଁ।

JNUରେ ଅଧ୍ୟାପକ ଥିବା ଆକୋଇଜାମଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁସାରେ, ସେ ବୈଠକ କିମ୍ବା ଆଲୋଚନା ଆଳରେ ଛାତ୍ରୀମାନଙ୍କୁ ନିଜ କ୍ୟାମ୍ପସ୍‌ସ୍ଥିତ ବାସଭବନକୁ ଡାକୁଥିଲେ ଏବଂ ଅଶୋଭନୀୟ ଆଚରଣ କରୁଥିଲେ। ଶ୍ରେଣୀଗୃହରେ ଅଶ୍ଳୀଳ ଓ ଅନୁଚିତ ମନ୍ତବ୍ୟ ଦେଇଥିବା ନେଇ ମଧ୍ୟ କେତେକ ଛାତ୍ରୀ ଅଭିଯୋଗ କରିଥିଲେ।

ଏହି ଅଭିଯୋଗଗୁଡ଼ିକର ତଦନ୍ତ ପରେ JNUର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Complaints Committee) ଅଭିଯୋଗଗୁଡ଼ିକରେ ସତ୍ୟତା ଥିବା ଦର୍ଶାଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସୁପାରିସ୍‌ କରିଥିଲା। ଏହାପରେ ଅକ୍ଟୋବର ୯ ତାରିଖରେ ବିଶ୍ୱବିଦ୍ୟାଳୟ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲା।

ଅକ୍ଟୋବର ୧୧ ତାରିଖରେ JNUର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ ଆଧାରରେ ବସନ୍ତ କୁଞ୍ଜ ନର୍ଥ ଥାନାରେ ଆକୋଇଜାମଙ୍କ ବିରୋଧରେ FIR ରୁଜୁ ହୋଇଥିଲା। ଏଥିରେ ଯୌନ ଉତ୍ପୀଡ଼ନ, ଯୌନ ଉଦ୍ଦୀପକ ମନ୍ତବ୍ୟ ଏବଂ ମହିଳାଙ୍କ ମର୍ଯ୍ୟାଦା ହାନି ଉଦ୍ଦେଶ୍ୟରେ ଶବ୍ଦ, ଅଙ୍ଗଭଙ୍ଗୀ କିମ୍ବା କାର୍ଯ୍ୟ ସମ୍ପର୍କିତ ଅଭିଯୋଗ ରହିଛି।

ଆକୋଇଜାମ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟର ତଦନ୍ତ ପ୍ରକ୍ରିୟା ନିରପେକ୍ଷ ନଥିବା ଏବଂ ନିଜ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିନଥିବା ସେ ଅଭିଯୋଗ କରିଛନ୍ତି।

ଏହା ପୂର୍ବରୁ ନଭେମ୍ବର ୨ ତାରିଖରେ ଦିଲ୍ଲୀ ହାଇକୋର୍ଟ JNU ପକ୍ଷରୁ ତାଙ୍କୁ ଚାକିରିରୁ ବହିଷ୍କାର କରିବା ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରିରେ ହେବ।