ଖୁଣ୍ଟି: ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଗୁରୁବାର ରାତିରେ ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କର୍ରା-ତୋରପା ମୁଖ୍ୟ ରାସ୍ତାର କର୍ରା ଥାନା ଅନ୍ତର୍ଗତ ଜୋନ୍-ଲୁଦ୍ରୁ ମୋଡ଼ ନିକଟରେ ଏକ ଦ୍ରୁତଗାମୀ ୧୮ ଚକିଆ ଟ୍ରକ୍ ରାସ୍ତା କଡ଼ରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢ଼ିଯିବାରୁ ୭ ଜଣଙ୍କର ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ୩ ଜଣ ଶିଶୁ ରହିଛନ୍ତି।
ମୃତକମାନଙ୍କୁ ପାକୋ ଦେବୀ, କସିଲା ଦେବୀ, ମାହୁ ଦେବୀ, ଗୋଲୁ କୁମାର, ଅଞ୍ଜଳି କୁମାରୀ, ଟୁଟି କୁମାରୀ ଏବଂ ୧୨ ବର୍ଷୀୟ ସୌରଭ ନାୟକ ଭାବେ ଚିହ୍ନଟ କରାଯାଇଛି। ଏହି ଦୁର୍ଘଟଣାରେ ଗୁରୁତର ଆହତ ଖୁସବୁ କୁମାରୀ ଖୁଣ୍ଟି ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତକମାନେ ଜୋନ୍-ଲୁଦ୍ରୁ ମୋଡ଼ ନିକଟସ୍ଥ ଏକ କଲୋନୀର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୯:୪୫ ସମୟରେ ଜଣେ ସ୍କୁଟର ଚାଳକ ଭାରସାମ୍ୟ ହରାଇ ରାସ୍ତା କଡ଼ ନାଳ ଗୁଳ୍ମରେ ଗଳିପଡ଼ିଥିଲେ। ଏହା ଦେଖି ସ୍ଥାନୀୟ ମହିଳା ଓ ଶିଶୁମାନେ ସାହାଯ୍ୟ କରିବା ପାଇଁ ରାସ୍ତା କଡ଼ରେ ଏକାଠି ହୋଇଥିଲେ।
ସେହି ସମୟରେ ତୋରପା ପଟୁ ଅତ୍ୟନ୍ତ ବେପରୁଆ ଭାବେ ଆସୁଥିବା ଏକ ୧୮ ଚକିଆ ଟ୍ରକ୍ (JH 02 AJ 1377) ରାସ୍ତା କଡ଼ରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ଏବଂ ପୁଲିସ ସହାୟତାରେ ଆହତମାନଙ୍କୁ ତୁରନ୍ତ ଖୁଣ୍ଟି ସଦର ହସ୍ପିଟାଲକୁ ନିଆଯାଇଥିଲା। ରାତି ପ୍ରାୟ ୧୧:୧୫ ରେ ୧୨ ବର୍ଷୀୟ ସୌରଭ ନାୟକ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିବାରୁ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଥିଲା।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଟ୍ରକ୍ ଡ୍ରାଇଭରଜଣକ ମଦ୍ୟପାନ କରି ଅତ୍ୟନ୍ତ ଦ୍ରୁତ ଓ ବେପରୁଆ ଗାଡ଼ି ଚାଳନା କରୁଥିଲେ। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଏବଂ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ମାମଲା ରୁଜୁ କରି ଫେରାର ଡ୍ରାଇଭରକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।




