କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଗୁରୁବାର ଏକ ଅତ୍ୟନ୍ତ ବୀଭତ୍ସ ଏବଂ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ଏକ ଧାନ ବିଲ ଭିତରୁ ଜଣେ ଅଜଣା ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି, ଯାହାକି ସ୍ଥାନୀୟ ଅଞ୍ଚଳରେ ହତ୍ୟାକାଣ୍ଡର ତୀବ୍ର ସନ୍ଦେହ ଓ ଆଶଙ୍କା ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁଯାୟୀ, କୋକ୍ସଡ଼ା ପୁଲିସ ଥାନା ଅନ୍ତର୍ଗତ ଲଡ଼ୁଗାଁ ଏବଂ ସୁପାଡ଼ ରାସ୍ତା ମଧ୍ୟବର୍ତ୍ତୀ ଏକ ଧାନ ବିଲରେ ଏହି ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ତାଙ୍କ ଧାରୁଆ ଅସ୍ତ୍ରରେ ମୁଣ୍ଡ କାଟି ଅଲଗା କରିଦେଇଥିବା ପ୍ରାଥମିକ ସୂଚନାରୁ ସନ୍ଦେହ କରାଯାଉଛି।
ମୃତ ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଉଦ୍ଧାର ହୋଇଥିବା ମୃତଦେହର ଶରୀରରେ ଏକାଧିକ ଗୁରୁତର ଆଘାତ ଏବଂ କ୍ଷତ ଚିହ୍ନ ରହିଥିବା ପୁଲିସ ସୂଚନା ଦେଇଛି। ଖବର ପାଇ କୋକ୍ସଡ଼ା ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆଖପାଖ ଅଞ୍ଚଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଶୁକ୍ରବାର ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ପୋଲିସ ବିସ୍ତୃତ ଛାନ୍ଭିନ୍ କରୁଛି।




