ଭୁବନେଶ୍ୱର: ଯାତ୍ରୀ ଏବଂ ଗାଡ଼ି ଚାଳକମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପ୍ରାୟ ୪୬ ଦିନର ବ୍ୟବଧାନ ପରେ କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ କଳିଙ୍ଗା ଘାଟି ରାସ୍ତାକୁ ପୁନର୍ବାର ଯାତାୟାତ ପାଇଁ ଖୋଲି ଦିଆଯାଇଛି। ଲଗାତାର ବର୍ଷା ଏବଂ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ରାସ୍ତା ଦୀର୍ଘ ଦିନ ହେବ ବନ୍ଦ ରହିଥିଲା, ଯାହାଫଳରେ ଯାତ୍ରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଥିଲା।
କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ଦ୍ୱାରା ଜାରି କରାଯାଇଥିବା ଏକ କାର୍ଯ୍ୟାଳୟ ନିର୍ଦ୍ଦେଶନାମା ଅନୁଯାୟୀ, ଆଜିଠାରୁ କଳିଙ୍ଗା ଘାଟି ଦେଇ ସମସ୍ତ ପ୍ରକାରର ଯାନବାହନ ଚଳାଚଳ କରିବାକୁ ଅନୁମତି ଦିଆଯାଇଛି। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ପରେ ଘାଟି ରାସ୍ତାରେ ପୁଣିଥରେ ଗାଡ଼ିଗୁଡ଼ିକ ଯିବା ଆସିବା ଆରମ୍ଭ କରିଛନ୍ତି। ଲୋକଙ୍କ ସୁବିଧା ଏବଂ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ରହିବ ବୋଲି ଜଣାପଡ଼ିଛି।
ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟି ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ଦେଖାଯାଇଥିଲା। କୌଣସି ପ୍ରକାରର ଅଘଟଣ କିମ୍ବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗତ ସେପ୍ଟେମ୍ବର ୨୩ ତାରିଖରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଥିଲା। ଏନେଇ ସେପ୍ଟେମ୍ବର ୨୪ ତାରିଖରେ ବିଧିବଦ୍ଧ ଭାବେ ବନ୍ଦ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।
ଗତ କିଛି ଦିନ ହେବ ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ରାସ୍ତାର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା। ରାସ୍ତା ସମ୍ପୂର୍ଣ୍ଣ ସୁରକ୍ଷିତ ହେବା ପରେ ଏବଂ ସମସ୍ତ ମରାମତି କାମ ଶେଷ ହେବା ପରେ ପ୍ରଶାସନ ପକ୍ଷରୁ ଗାଡ଼ି ଚଳାଚଳ ପାଇଁ ସବୁଜ ସଙ୍କେତ ଦିଆଯାଇଛି।




