ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ଧରାପଡ଼ିଛି। ୱାଶିଂଟନ୍ ଡିସିସ୍ଥିତ ହ୍ୱାଇଟ୍ ହାଉସ୍ ନିକଟରୁ ଆମେରିକା ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ଜଣେ ୩୦ ବର୍ଷୀୟ ଭେନେଜୁଏଲା ନାଗରିକଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତଙ୍କ ଚୋରା ଗାଡ଼ିରୁ ତିନୋଟି ମାରାତ୍ମକ ବନ୍ଧୁକ ଏବଂ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି।

ଡିସି ସୁପିରିୟର କୋର୍ଟରେ ଦାଖଲ ହୋଇଥିବା ଏଫ୍‌ଆଇଆର୍ ଅନୁଯାୟୀ, ଗୁରୁବାର ଅଧରାତି ପୂର୍ବରୁ ହ୍ୱାଇଟ୍ ହାଉସ୍ ନିକଟସ୍ଥ କନଷ୍ଟିଚ୍ୟୁସନ୍ ଆଭେନ୍ୟୁରେ ଏକ ସନ୍ଦିଗ୍ଧ ବ୍ଲୁ ଫୋର୍ଡ F-150 ପିକ୍-ଅପ୍ ଟ୍ରକ୍ ରହିଥିବା ସିକ୍ରେଟ୍ ସର୍ଭିସ୍ ଅଧିକାରୀ ଦେଖିବାକୁ ପାଇଥିଲେ। ସେହି ଗାଡ଼ି ଭିତରେ ବସିଥିବା ବ୍ୟକ୍ତିଙ୍କୁ ଅଧିକାରୀ ଜଣକ ସୁରକ୍ଷା ଓ ଅସ୍ତ୍ରଶସ୍ତ୍ର ବାବଦରେ ପଚାରିଥିଲେ।

ଅଭିଯୁକ୍ତ ଜଣକ ଉତ୍ତରରେ ନିଜ ଆଙ୍ଗୁଠିରେ ବନ୍ଧୁକର ସଙ୍କେତ ଦେଇ ଗାଡ଼ିରୁ ଓହ୍ଲାଇଥିଲେ ଏବଂ ଗୁଗଲ୍ ଟ୍ରାନ୍ସଲେସନ ସାହାଯ୍ୟରେ ତଦନ୍ତକାରୀଙ୍କ ସହ କଥା ହୋଇଥିଲେ। ପଚରାଉଚୁରା ସମୟରେ ଅଭିଯୁକ୍ତ ଜଣକ କହିଥିଲେ ଯେ, ତାଙ୍କ ମୁଣ୍ଡ ଭିତରେ କିଛି ଅଦୃଶ୍ୟ ସ୍ୱର ତାଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା।

ଗାଡ଼ି ଯାଞ୍ଚ କରିବା ପରେ ପୋଲିସ ସେଥିରୁ ଏକ AR-15 ରାଇଫଲ୍, ଦୁଇଟି ହ୍ୟାଣ୍ଡଗନ୍ ଏବଂ ପ୍ରଚୁର ଗୁଳି ଜବତ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତଙ୍କ ନାମ ରୋନି ଯୋର୍ଡ୍ରିକ୍ସ ଗୁଆନିପା ଚ୍ରିନୋସ୍। ସେ ମାର୍ଚ୍ଚ ୨୦୨୪ରେ ଟେକ୍ସାସ ଦେଇ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିଲେ। ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶୁକ୍ରବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ବିନା ଜାମିନରେ ଜେଲ୍ ପଠାଇ ଦିଆଯାଇଛି।

ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ହ୍ୱାଇଟ୍ ହାଉସ୍ କୋରେସପୋଣ୍ଡେଣ୍ଟସ୍ ଡିନର୍‌ ସମୟରେ ମଧ୍ୟ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ କୋଲ୍ ଟୋମାସ୍ ଆଲେନ୍‌କୁ ପୋଲିସ ଗିରଫ କରିଥିଲା। ସୁରକ୍ଷାକର୍ମୀଙ୍କ ତତ୍କାଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେତେବେଳେ ଏକ ବଡ଼ ଦୁର୍ଘଟଣା ଏଡ଼ାଯାଇ ପାରିଥିଲା। ଏହି ନୂତନ ଘଟଣା ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।