ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲା ମୋଦୀନଗର ଥାନା ଅନ୍ତର୍ଗତ ସିକ୍ରି ଖୁର୍ଦ ଗ୍ରାମରେ ଏକ ବଡ଼ ଅସାବଧାନତା ଯୋଗୁଁ ଅଘଟଣ ଘଟିଛି। ଶନିବାର ସକାଳେ ଏକ ନିର୍ମାଣାଧୀନ ଘରର କଂକ୍ରିଟ୍ ଛାତ (ଲିଣ୍ଟର) ହଠାତ୍ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସତ୍ୟେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ଘରର ଛାତ ପକାଯିବା କାମ ଚାଲିଥିବା ସମୟରେ ପ୍ରାୟ ୫ ରୁ ୮ ଜଣ ଶ୍ରମିକ ସେଠାରେ କାର୍ଯ୍ୟରତ ଥିଲେ। ଛାତ ପକାଯାଉଥିବା ସମୟରେ ହଠାତ୍ ସେହି କଂକ୍ରିଟ୍ ଢଳେଇ ଭୁଶୁଡ଼ି ପଡ଼ିଥିଲା, ଯାହାଫଳରେ ସମସ୍ତ ଶ୍ରମିକ ଖସିପଡ଼ିଥିବା ଆବର୍ଜନା ତଳେ ଚାପି ହୋଇଯାଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ସ୍ଥାନୀୟ ପୋଲିସ, ଫାୟାର ସର୍ଭିସ୍, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଏବଂ SDRF ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଗାଜିଆବାଦ ଗ୍ରାମୀଣ ଡିସିପି ସୁରେନ୍ଦ୍ର ନାଥ ତିୱାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନା ପଠାଯାଇଛି। ତେବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ପୋଲିସ ସ୍ପଷ୍ଟ କରିଛି। ଛାତ ତଳେ ଆଉ କେହି ଚାପି ହୋଇ ରହିଛନ୍ତି କି ନାହିଁ, ସେ ନେଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ ଏହି ଘଟଣାର ସଂଜ୍ଞାନ ନେଇ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାର ମାତ୍ର କିଛି ଦିନ ପୂର୍ବରୁ ଦିଲ୍ଲୀର ପୁରୁଣା ଚାୱଡ଼ି ବଜାର ସ୍ଥିତ ଗଲି ସିତାରା ଅଞ୍ଚଳରେ ଏକ ୩ ତାଲା ନିର୍ମାଣାଧୀନ ବିଲ୍ଡିଂ ଭୁଶୁଡ଼ି ପଡ଼ିବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ, ସେହି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ ଏବଂ ଅସୁରକ୍ଷିତ ଥିଲା। ଏହି ଘଟଣାରେ ପୋଲିସ କଣ୍ଟ୍ରାକ୍ଟରଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ମ୍ୟୁନିସିପାଲ କୋର୍ପୋରେସନ୍ ର ଜୁନିୟର ଇଞ୍ଜିନିୟର ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟର ଙ୍କୁ ନିଲମ୍ବିତ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନା ଦେଇଛନ୍ତି।