ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଭାରତୀୟ ବଂଶୋଦ୍ଭବଙ୍କ ସହ ଧୂମଧାମରେ ଦୀପାବଳି ପାଳନ କରିଛନ୍ତି। ଆମେରିକା ସମୟ ଅନୁଯାୟୀ ଶୁକ୍ରବାର ହ୍ୱାଇଟ୍ ହାଉସର ଓଭାଲ ଅଫିସରେ ଏହି ଦୀପାବଳି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି ବିଶେଷ କାର୍ଯ୍ୟକ୍ରମରେ ବ୍ୟବସାୟୀ ବିଶାଲ ଗୋଣ୍ଡଲ, ମିସେଲିନ୍-ଷ୍ଟାର ରୋଷେୟା ବିକାଶ ଖାନ୍ନା ଏବଂ ପୂର୍ବତନ କାନାଡିଆନ ସାଂସଦ ରୁବି ଧଲ୍ଲାଙ୍କ ସମେତ ଆମେରିକାରେ ରହୁଥିବା ଅନେକ ପ୍ରଭାବଶାଳୀ ଭାରତୀୟ-ଆମେରିକୀୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଏହି ଅବସରରେ ବ୍ୟବସାୟୀ ବିଶାଲ ଗୋଣ୍ଡଲ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସାକ୍ଷାତ କରି ଉପହାର ସ୍ୱରୂପ ‘ହନୁମାନ ଚାଳିଶା’ର ଏକ କପି ପ୍ରଦାନ କରିଥିଲେ। ସୋସିଆଲ ମିଡିଆରେ ପୋଷ୍ଟ କରି ଗୋଣ୍ଡଲ କହିଛନ୍ତି ଯେ, ସାହସ, ଭକ୍ତି ଏବଂ ଶକ୍ତିର ପ୍ରତୀକ ଭାବେ ଶ୍ରୀରାମଙ୍କୁ ସମର୍ପିତ ଏହି ପବିତ୍ର ଗ୍ରନ୍ଥକୁ ଟ୍ରମ୍ପଙ୍କୁ ଦେବା ତାଙ୍କ ପାଇଁ ଗୌରବର ବିଷୟ। ଏଥିସହ ସେ ଭାରତ ଓ ଆମେରିକା ମଧ୍ୟରେ ମଜବୁତ ସମ୍ପର୍କ ଏବଂ ଅନ୍ଧାର ଉପରେ ଆଲୋକର ବିଜୟ ପାଇଁ ପ୍ରାର୍ଥନା କରିଥିବା ପ୍ରକାଶ କରିଛନ୍ତି।

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ ପାର୍ଟିର କିଛି ପରାଜୟ ପରେ ଟ୍ରମ୍ପଙ୍କ ଏହି ଦୀପାବଳି ପାଳନକୁ ନେଇ କୂଟନୈତିକ ଚର୍ଚ୍ଚା ଜୋର ଧରିଛି। ଅନୁମାନ କରାଯାଉଛି ଯେ, ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଭୋଟରମାନେ ଡେମୋକ୍ରାଟିକ୍ ପାର୍ଟିକୁ ସମର୍ଥନ କରିଥିଲେ, ଯେତେବେଳେ କି ପୂର୍ବରୁ ଟ୍ରମ୍ପଙ୍କ ସପକ୍ଷରେ ବହୁସଂଖ୍ୟାକ ଭୋଟ୍ ପଡ଼ିଥିଲା। ଟ୍ରମ୍ପଙ୍କ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ (MAGA) ଅଭିଯାନ ଏବଂ କଠୋର ନୀତି ଯୋଗୁଁ ଭାରତୀୟ ବଂଶୋଦ୍ଭବଙ୍କ ବିରୋଧରେ ଜାତିଗତ ହିଂସା ବୃଦ୍ଧି ପାଇଥିବା ନେଇ ଅଭିଯୋଗ ହୋଇଆସୁଛି। ସାମ୍ପ୍ରତିକ ସମୟରେ ଏକ ମନ୍ଦିରରେ ଗୁଳିଚାଳନା ଉଦ୍ୟମ ଭଳି ଘଟଣା ସାମ୍ନାକୁ ଆସିବା ପରେ ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ଦୀପାବଳି ପାଳନ ଭାରତୀୟ ସମ୍ପ୍ରଦାୟର ଆଶଙ୍କା ଓ ଘୃଣାକୁ ହ୍ରାସ କରିବାରେ କେତେ ସଫଳ ହେବ, ସେ ନେଇ ପ୍ରଶ୍ନ ଉଠୁଛି।

ପ୍ରକାଶଯୋଗ୍ୟ ଯେ, ୨୦୦୩ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ ପରମ୍ପରା ଆରମ୍ଭ କରିଥିଲେ। ପରେ ୨୦୦୯ ମସିହାରେ ରାଷ୍ଟ୍ରପତି ବାରାକ ଓବାମା ୱେଷ୍ଟ ରୁମରେ ଦୀପ ଜାଳି ଏହି ଉତ୍ସବକୁ ଅଧିକ ବ୍ୟାପକ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ କାୟମ ରହିଛି।