ଭୁବନେଶ୍ୱର: ‘ଦୀପାବଳି’ ଶବ୍ଦଟି ସଂସ୍କୃତର ‘ଦୀପ’ ଏବଂ ‘ଆବଳି’ ରୁ ସୃଷ୍ଟି ହୋଇଛି, ଯାହାର ସାଧାରଣ ଅର୍ଥ ହେଉଛି ଆଲୋକର ଧାଡ଼ି। କାର୍ତ୍ତିକ ଅମାବାସ୍ୟାର ଘୋର ଅନ୍ଧକାର ରାତିରେ ପାଳିତ ହେଉଥିବା ଏହି ପବିତ୍ର ଉତ୍ସବ ଅନ୍ଧାର ଉପରେ ଆଲୋକର ଏବଂ ନିରାଶା ଉପରେ ଆଶାର ବିଜୟର ପ୍ରତୀକ। ସମଗ୍ର ଦେଶରେ ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କିମ୍ବା ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଦ୍ୱାରା ଦୀପାବଳି ଆନନ୍ଦଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ଓଡ଼ିଶାରେ ଏହାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୁରୁତ୍ୱ ରହିଛି।
ଓଡ଼ିଶାରେ ଦୀପାବଳିର ଇତିହାସ ଖ୍ରୀଷ୍ଟପୂର୍ବ ୩୫୦ ଅବ୍ଦର ସାଧବ ପୁଅମାନଙ୍କ ନୌବାଣିଜ୍ୟ ସହ ଯୋଡ଼ିହୋଇ ରହିଛି। ବାଲି, ଜାଭା ଓ ସୁମାତ୍ରାରୁ ଧନରତ୍ନ ଧରି ଓଡ଼ିଶାର କଳିଙ୍ଗ ସାଧବମାନେ ଘରକୁ ଫେରୁଥିବା ବେଳେ ଉପକୂଳବାସୀ ସେମାନଙ୍କୁ ଦୀପ ଜାଳି ସ୍ୱାଗତ କରୁଥିଲେ। ଅନ୍ୟ ଏକ ଲୋକବିଶ୍ୱାସ ଅନୁଯାୟୀ, ଶୀତଦିନିଆ କୀଟପତଙ୍ଗକୁ ଘରଠାରୁ ଦୂରେଇ ରଖିବା ପାଇଁ ମଧ୍ୟ ଏହି ଦୀପାବଳିର ଆଲୋକ ଜଳାଯାଉଥିଲା।
ପିତୃପୁରୁଷଙ୍କୁ ଆବାହନ: ‘ବଡ଼ବଡ଼ୁଆ ଡାକ’
ଓଡ଼ିଶାର ଦୀପାବଳିକୁ ଦେଶର ଅନ୍ୟାନ୍ୟ ପ୍ରାନ୍ତଠାରୁ ଅଲଗା କରୁଥିବା ମୁଖ୍ୟ ପରମ୍ପରା ହେଉଛି ‘ବଡ଼ବଡ଼ୁଆ ଡାକ’। ଏହି ଦିନ ସକାଳୁ ଘର ଅଙ୍ଗନକୁ ସଫା କରି ବୋଇତ (ପୁରାତନ ଡଙ୍ଗା) ଆକୃତିର ଝୋଟି-ରଙ୍ଗୋଲି ଅଙ୍କାଯାଇଥାଏ, ଯାହା ଶ୍ରୀଜଗନ୍ନାଥ ସଂସ୍କୃତି ଓ ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧାର ମିଳନକୁ ଦର୍ଶାଏ।
ସନ୍ଧ୍ୟା ନଇଁଲେ ଘର ସାମ୍ନାରେ ବାଉଁଶ ଖୁଣ୍ଟରେ ଦୀପ ରଖି ‘ଆକାଶଦୀପ’ ଜଳାଯାଏ। ଏହାପରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ କାଉଁରିଆ କାଠିରେ ନିଆଁ ଲଗାଇ ଆକାଶ ଆଡ଼କୁ ଦେଖାଇ ଉଚ୍ଚ ସ୍ୱରରେ ଡାକିଥାନ୍ତି:
“ବଡ଼ବଡ଼ୁଆ ହୋ, ଅନ୍ଧାରରେ ଆସ, ଆଲୋକରେ ଯାଅ, ମହାପ୍ରସାଦ ଖାଇ, ବାଇଶି ପାହାଚରେ ଗଡ଼ଗଡ଼ାଉ ଥାଅ।”
ଓଡ଼ିଆ ବିଶ୍ୱାସ ଅନୁଯାୟୀ, ଦୀପାବଳି ରାତିରେ ସ୍ୱର୍ଗରୁ ମର୍ତ୍ତ୍ୟକୁ ଓହ୍ଲାଇ ଆସୁଥିବା ପିତୃପୁରୁଷମାନେ କାଉଁରିଆ କାଠିର ଏହି ଆଲୋକ ଦେଖି ପୁନର୍ବାର ସ୍ୱର୍ଗପୁରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ପିତୃପୁରୁଷଙ୍କୁ ମହାପ୍ରସାଦ ଅର୍ପଣ କରି ସ୍ୱର୍ଗଲୋକକୁ ବିଦାୟ ଜଣାଇବା ପରେ ହିଁ ଓଡ଼ିଶାରେ ବାଣ ଫୁଟାଇ ଓ ଦୀପ ଜାଳି ପ୍ରକୃତ ଉତ୍ସବର ଶୁଭାରମ୍ଭ ହୁଏ।




