କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଗଗ୍ରୀମେଟଲା ଜଙ୍ଗଲ ନିକଟରେ କାଲିମେଳା ପୋଲିସ ଚଢ଼ଉ କରି ୧,୩୨୫ କିଲୋଗ୍ରାମ ବେଆଇନ ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଏହି ବିପୁଳ ପରିମାଣର ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬୬.୨୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି କାରବାର ପଛରେ ଏକ ଅନ୍ତଃରାଜ୍ୟ ଚାଲାଣକାରୀ ଗ୍ୟାଙ୍ଗ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି।
ଗଗ୍ରୀମେଟଲା ଜଙ୍ଗଲ ନିକଟରେ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ପାଇଁ ମହଜୁଦ ରଖାଯାଇଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ଚଢ଼ଉ କରିଥିଲା। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ସୂଚନା ପାଇ ଅଭିଯୁକ୍ତ ଗଞ୍ଜେଇ ବ୍ୟବସାୟୀ ଜଙ୍ଗଲର ଫାଇଦା ଉଠାଇ ଫରାର ହୋଇଯିବାରେ ସଫଳ ହୋଇଥିଲା।
କାଲିମେଳା ତହସିଲଦାର-ତଥା-କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ରାମକୃଷ୍ଣ ସତ୍ୟରାଜଗୁରୁ ଏବଂ ଅନ୍ୟାନ୍ୟ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ଏହି ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଛି। ଏହି ଘଟଣାରେ କାଲିମେଳା ଥାନାରେ ଏନଡିପିଏସ (NDPS) ଆଇନର ଧାରା 20(b)(ii)(C) ଅଧୀନରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଏହି ବେଆଇନ ଗଞ୍ଜେଇ ଚାଲାଣରେ ରାଜ୍ୟ ବାହାରର ବ୍ୟବସାୟୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଏହି ବେଆଇନ କାରବାରରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗଞ୍ଜେଇର ମୂଳ ଉତ୍ସ ଏବଂ ଏହି ରାକେଟ ପଛରେ ଥିବା ସମ୍ପୂର୍ଣ୍ଣ ନେଟୱାର୍କର ପର୍ଦ୍ଦାଫାଶ ପାଇଁ ପୋଲିସ ଛାନବିନ୍ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି।




