ତେହେରାନ୍: ମଧ୍ୟପ୍ରାଚ୍ୟରେ ସାମରିକ ଉତ୍ତେଜନା ଆହୁରି ଚରମ ସୀମାରେ ପହଞ୍ଚିଛି। ହରମୁଜ ପ୍ରଣାଳୀର ଏକ ‘ଅନୁମୋଦନହୀନ’ ମାର୍ଗ ଦେଇ ଗତି କରିବାକୁ ଚେଷ୍ଟା କରୁଥିବା ଦୁଇଟି ତେଲବାହୀ ଜାହାଜ ନୌସେନା ମାଇନ୍ସ ର ସଂସ୍ପର୍ଶରେ ଆସି ବିସ୍ଫୋରଣ ପରେ ଜଳିଯାଇଥିବା ଇରାନର ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କୋର ନୌସେନା ସୂଚନା ଦେଇଛି।

ସେପାହ ନ୍ୟୁଜ୍ ରେ ପ୍ରକାଶିତ ବିବୃତ୍ତି ଅନୁଯାୟୀ, ଗୋଟିଏ ଜାହାଜ ପ୍ରଣାଳୀର ପୂର୍ବ ପଟେ ଏବଂ ଅନ୍ୟଟି ପ୍ରଣାଳୀ ପାର ହେଉଥିବା ସମୟରେ ମାଇନ୍ସ ସହ ପିଟି ହୋଇଥିଲା। ଉଭୟ ଜାହାଜ ନିଜର ଜିପିଏସ ଏବଂ ନେଭିଗେସନ୍ ସିଷ୍ଟମ୍ ବନ୍ଦ କରି ଗତି କରୁଥିଲେ। ଇରାନ ନିୟମାବଳୀକୁ ଉଲ୍ଲଂଘନ କରି ଆମେରିକା ସେନାକୁ ସହଯୋଗ କରୁଥିବା ଯେକୌଣସି ଜାହାଜ ଏହି ଅଞ୍ଚଳକୁ ପ୍ରବେଶ କଲେ ନିଶ୍ଚିତ ଭାବେ ମାଇନ୍ସ ବିସ୍ଫୋରଣର ସମ୍ମୁଖୀନ ହେବ ବୋଲି IRGC ଚେତାବନୀ ଦେଇଛି।

ଅପରପକ୍ଷରେ, ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସୋସିଆଲ ମିଡିଆ ଏକ୍ସ (X) ରେ ସୂଚନା ଦେଇଛି ଯେ, ଓମାନ ଉପସାଗରରେ ନୌସେନା ଅବରୋଧ ଉଲ୍ଲଂଘନ କରିବାକୁ ଚେଷ୍ଟା କରୁଥିବା ‘M/V Huda’ ନାମକ ଏକ ବାଣିଜ୍ୟିକ ଜାହାଜ ଉପରେ ଆମେରିକୀୟ ଯୁଦ୍ଧବିମାନ ଆକ୍ରମଣ କରି ତାହାକୁ ଅଚଳ କରିଦେଇଛି। ଇରାନୀ ବନ୍ଦରରୁ ଫେରୁଥିବା ଏହି ଜାହାଜକୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ସୁଦ୍ଧା ସେମାନେ ତାହାକୁ ଅଣଦେଖା କରିଥିଲେ।

ସେଣ୍ଟକମ୍ କହିଛି ଯେ ଗତ ଜୁଲାଇ ମାସରୁ ଆମେରିକା ସେନା ୧୪୭ଟି ବାଣିଜ୍ୟିକ ଜାହାଜର ମାର୍ଗ ପରିବର୍ତ୍ତନ କରିସାରିଛି ଏବଂ ନିୟମ ଅମାନ୍ୟ କରିଥିବା ୫ଟି ଜାହାଜକୁ ଅଚଳ କରିଛି। ଏହା ବ୍ୟତୀତ ଇରାନର ସାମରିକ ନେଟୱାର୍କ ସହ ଜଡ଼ିତ ୧୦ଟି ଇରାନୀ ତେଲ ଜାହାଜକୁ ଆମେରିକା ଧ୍ୱଂସ କରିଛି। ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣ ପରେ ଫେବୃଆରୀ ୨୮ ରୁ ଇରାନ ହରମୁଜ ପ୍ରଣାଳୀରେ କଡ଼ା ନିୟନ୍ତ୍ରଣ ଜାରି କରିଥିବା ବେଳେ ଆମେରିକା ମଧ୍ୟ ଇରାନ ବିରୋଧରେ ନୌସେନା ଅବରୋଧ ଜାରି ରଖିଛି।