ନୂଆଦିଲ୍ଲୀ: ଦୀପାବଳି ସକାଳେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ (ଏନସିଆର) ରେ ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରୂପ ନେଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ର ତଥ୍ୟ ଅନୁଯାୟୀ, ଜାତୀୟ ରାଜଧାନୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୮୪ ରେ ପହଞ୍ଚିଛି, ଯାହା ‘ଅତ୍ୟନ୍ତ ଖରାପ’ ବର୍ଗରେ ଆସୁଛି।

ଦିଲ୍ଲୀର ୨୩ଟି ବାୟୁ ଗୁଣବତ୍ତା ନିରୀକ୍ଷଣ କେନ୍ଦ୍ର ମଧ୍ୟରୁ ୧୧ଟି ଷ୍ଟେସନରେ AQI ୪୦୦ ଅତିକ୍ରମ କରି ‘ଗମ୍ଭୀର’ଶ୍ରେଣୀରେ ରହିଛି। ସକାଳ ୬ଟାର ତଥ୍ୟ ଅନୁଯାୟୀ, ପଞ୍ଜାବୀ ବାଗ୍‌ରେ ସର୍ବାଧିକ ୪୫୦ AQI ରେକର୍ଡ କରାଯାଇଥିବା ବେଳେ ଆର.କେ. ପୁରମ୍‌ରେ ୪୪୯, ଆଇଆଇଟି ଦିଲ୍ଲୀରେ ୪୪୬ ଏବଂ ଦ୍ୱାରକାରେ ୪୪୪ ରେକର୍ଡ ହୋଇଛି। ସେହିପରି ସିଆରଆରଆଇ ମାଥୁରା ରୋଡ୍‌ରେ ୪୨୫, ସିରି ଫୋର୍ଟରେ ୪୨୩, ଚାନ୍ଦନୀ ଚୌକରେ ୪୨୩, ପୁସାରେ ୪୧୫, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନର୍ଥ କ୍ୟାମ୍ପସରେ ୪୨୩, ବୁରାଡ଼ି କ୍ରସିଂରେ ୪୧୧ ଏବଂ ଏନଏସୟୁଟି ଜାଫରପୁରରେ ୪୦୯ ରେକର୍ଡ କରାଯାଇଛି।

ଅନ୍ୟପଟେ ଅବଶିଷ୍ଟ ୧୨ଟି ଷ୍ଟେସନରେ AQI ୩୦୧ ରୁ ୪୦୦ ମଧ୍ୟରେ ରହି ‘ଅତ୍ୟନ୍ତ ଖରାପ’ ବର୍ଗରେ ରହିଛି। ନରେଲାରେ ୩୯୯, ଆଇଟିଓରେ ୩୯୬, ମନ୍ଦିର ମାର୍ଗରେ ୩୯୩, ତାଲକାଟୋରା ଗାର୍ଡେନ୍ ଓ ଆୟା ନଗରରେ ୩୬୯, ବୁରାଡ଼ିରେ ୩୭୦, ଉତ୍ତମ ନଗରରେ ୩୭୩ ଏବଂ ଆନନ୍ଦ ବିହାରରେ ୩୨୮ AQI ରେକର୍ଡ ହୋଇଛି।ଏହା ବ୍ୟତୀତ ବସୁନ୍ଧରା ଏନକ୍ଲେଭରେ ୩୫୬, ଟିକ୍ରି କଲାନ୍ ଓ ବଦରପୁରରେ ୩୪୯, କରାଲାରେ ୩୩୭ ଏବଂ ଲୋଧି ରୋଡ୍‌ରେ ୩୩୩ AQI ରହିଛି। ଦୀପାବଳି ଉତ୍ସବ ପୂର୍ବରୁ ଦିଲ୍ଲୀ-ଏନସିଆରରେ ବାୟୁର ସ୍ଥିତି ଏପରି ବିଷାକ୍ତ ହୋଇପଡ଼ିବା ନାଗରିକଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିଛି।