ଧର୍ମଗଡ଼: ଦୀପାବଳିର ଆଲୋକ ଓ ଆନନ୍ଦର ପର୍ବ ଏକ ପରିବାର ପାଇଁ ସାଜିଛି ଅତ୍ୟନ୍ତ ଦୁଃଖଦ। ହାତରେ ବାଣ ଫୁଟିଯିବାରୁ ଜଣେ ଯୁବକ ନିଜର ଡାହାଣ ହାତ କବଜା ହରାଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣାଟି କାଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗୋଡ଼ାଭଞ୍ଜ ଗ୍ରାମରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୋଡ଼ାଭଞ୍ଜ ଗ୍ରାମର ଯୁବକ ପିଣ୍ଟୁ ପଟେଲ ରବିବାର ରାତିରେ ଦୀପାବଳି ଅବସରରେ ବାଣ ଫୁଟାଉଥିଲେ। ବାଣରେ ନିଆଁ ଲଗାଇବା ସମୟରେ ହଠାତ୍ ଅସାବଧାନତା ହେତୁ ବାଣଟି ତାଙ୍କ ହାତରେ ହିଁ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ପିଣ୍ଟୁଙ୍କ ଡାହାଣ ହାତର କବଜାଟି ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ହୋଇ ଅଲଗା ହୋଇଯାଇଥିଲା।

ଗୁରୁତର ଆହାତ ଅବସ୍ଥାରେ ପିଣ୍ଟୁ ଘଟଣାସ୍ଥଳରେ ଛଟପଟ ହୋଇ ଚିତ୍କାର କରୁଥିବା ଦେଖି ସ୍ଥାନୀୟ ଲୋକ ଓ ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ରକ୍ତତକ୍ତ ଅବସ୍ଥାରେ ତାଙ୍କୁ ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ପ୍ରାଥମିକ ସେବା ପାଇଁ ତାଙ୍କୁ ଭବାନୀପାଟଣାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଏମର୍ଜେନ୍ସି ୱାର୍ଡରେ ତାଙ୍କର ଜରୁରୀକାଳୀନ ଚିକିତ୍ସା ଜାରି ରହିଛି। ଏହି ଅଭାବନୀୟ ଘଟଣା ପରେ ଗୋଡ଼ାଭଞ୍ଜ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।