ଭୁବନେଶ୍ୱର: ଓଡ଼ିଶାର ପ୍ରସିଦ୍ଧ ଡେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପୁଣିଥରେ ରୟାଲ ବେଙ୍ଗଲ ଟାଇଗର (ମହାବଳ ବାଘ) ର ଉପସ୍ଥିତି ରେକର୍ଡ କରାଯାଇଛି। ଅଭୟାରଣ୍ୟ ଭିତରେ ଲଗାଯାଇଥିବା ରିମୋଟ୍ କ୍ୟାମେରା ଟ୍ରାପ୍ (RBT) ରେ ବାଘଟିର ସ୍ପଷ୍ଟ ଫଟୋ କଏଦ ହୋଇଥିବା ବେଳେ ବନ ବିଭାଗର ନିୟମିତ ପେଟ୍ରୋଲିଂ ଟିମ୍ ମଧ୍ୟ ଏହି ମହାବଳ ବାଘକୁ ପ୍ରତ୍ୟକ୍ଷ ଭାବେ ଦେଖିଥିବା ସୂଚନା ମିଳିଛି। ଏହି ଖବର ସାମ୍ନାକୁ ଆସିବା ପରେ ବନ ବିଭାଗ ପକ୍ଷରୁ ଅଭୟାରଣ୍ୟ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି।
ଗତ ୪ ବର୍ଷ ମଧ୍ୟରେ ଡେବ୍ରୀଗଡ଼ରେ ମହାବଳ ବାଘ ଦେଖାଯିବାର ଏହା ଦ୍ୱିତୀୟ ଘଟଣା। ପ୍ରାଥମିକ ଆକଳନ ଅନୁଯାୟୀ, ବାଘଟି ଡେଚୁଆଁ-ଲଖନପୁର ଜଙ୍ଗଲ କରିଡର ଦେଇ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥାଇପାରେ। ତେବେ ଏହି ବାଘଟିର ମୂଳ ଉତ୍ସ, ବୟସ ଏବଂ ସଠିକ୍ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।
ବାଘଟିର ଗତିବିଧି, ବୟସ ଓ ପରିଚୟ ସମ୍ପର୍କରେ ନିଶ୍ଚିତ ସୂଚନା ପାଇଁ କ୍ୟାମେରା ଟ୍ରାପ୍ରୁ ମିଳିଥିବା ସମସ୍ତ ଫଟୋଚିତ୍ରକୁ ନ୍ୟାସନାଲ ଟାଇଗର କଞ୍ଜରଭେସନ୍ ଅଥରିଟି (NTCA) ଏବଂ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII) ର ବିଶେଷଜ୍ଞଙ୍କ ନିକଟକୁ ପଠାଯିବ। ବିଶେଷଜ୍ଞମାନଙ୍କ ଛାନବିନ୍ ଓ ବିଶ୍ଲେଷଣ ପରେ ବାଘଟି ସମ୍ପର୍କରେ ଅଧିକ ସୂଚନା ସ୍ପଷ୍ଟ ହେବ।
ଅପରପକ୍ଷରେ, ମହାବଳ ବାଘର ଉପସ୍ଥିତି ନିଶ୍ଚିତ ହେବା ପରେ ବନ ବିଭାଗ ପକ୍ଷରୁ ସମଗ୍ର ଅଭୟାରଣ୍ୟରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯାଇଛି। ବାଘଟିର ସୁରକ୍ଷା ଏବଂ ପ୍ରତିଟି ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ସମଗ୍ର ଅଭୟାରଣ୍ୟରେ ୧୦୦ରୁ ଉର୍ଦ୍ଧ୍ୱ କ୍ୟାମେରା ଟ୍ରାପ୍ ଖଞ୍ଜାଯାଇଛି। ସୀମାନ୍ତ ଅଞ୍ଚଳ ଓ ଜଙ୍ଗଲ ଭିତର ରାସ୍ତାରେ ନିୟମିତ ପେଟ୍ରୋଲିଂ ପାଇଁ ମୋଟ ୨୭ଟି ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି। ରାତ୍ରି ସମୟରେ ୨୪ ଘଣ୍ଟିଆ ନଜର ରଖିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଡେବ୍ରୀଗଡ଼ରେ ପୁଣି ମହାବଳ ବାଘର ଆବିର୍ଭାବ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ଅତ୍ୟନ୍ତ ଆଶାଜନକ ଏବଂ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ବିବେଚିତ ହେଉଛି।




