କଟକ: କଟକ ନୟାସଡ଼କ ସାହିରେ ଦୀପାବଳି ଉତ୍ସବ ସମୟରେ ମହିଳା ଏସିପି ଅନନ୍ୟା ଅବସ୍ଥୀଙ୍କ ସହ ହୋଇଥିବା ଠେଲାପେଲା ଓ ଉତ୍ତେଜନାପୂର୍ଣ୍ଣ ଘଟଣାରେ ପୋଲିସ ୧୦ ଜଣଙ୍କୁ ଅଟକ ରଖିଛି। ଏ ସମ୍ପର୍କରେ ସୋମବାର ସୂଚନା ଦେଇଛନ୍ତି କଟକ ଡିସିପି ଖିଲାରି ଋଷିକେଶ ଜ୍ଞାନଦେବ।

ଡିସିପିଙ୍କ ସୂଚନା ଅନୁଯାୟୀ, ଘଟଣାସ୍ଥଳର CCTV ଫୁଟେଜ୍‌ ଏବଂ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓଗୁଡ଼ିକୁ କମିଶନରେଟ୍ ପୋଲିସ ପକ୍ଷରୁ ସୂକ୍ଷ୍ମ ଭାବେ ଯାଞ୍ଚ କରାଯାଉଛି। ଯେଉଁମାନେ ଆଇନକୁ ନିଜ ହାତକୁ ନେଇ ଶାନ୍ତିଶୃଙ୍ଖଳା ଭଙ୍ଗ କରିବାକୁ ଚେଷ୍ଟା କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ଯେ, ରବିବାର ରାତିରେ ଦୀପାବଳି ଅବସରରେ କଟକ ନୟାସଡ଼କ ଛକ ନିକଟରେ ନିର୍ଦ୍ଧାରିତ ସମୟସୀମା (ରାତି ୯ଟା) ପରେ ମଧ୍ୟ କିଛି ଲୋକ ବାଣ ଫୁଟାଉଥିଲେ। ସରକାରୀ ନିୟମାବଳୀ ଅନୁଯାୟୀ ବାଣ ଫୁଟାଇବା ବନ୍ଦ କରିବାକୁ ପୋଲିସ କହିବାରୁ ସ୍ଥାନୀୟ ଲୋକଙ୍କ ସହ ବାକ୍‌ଯୁଦ୍ଧ ଆରମ୍ଭ ହୋଇଥିଲା।

ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ମହିଳା ଏସିପି ଅନନ୍ୟା ଅବସ୍ଥୀ ନିୟମ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବାରୁ କିଛି ଉତ୍ତ୍ୟକ୍ତ ଲୋକ ତାଙ୍କ ସହ ଯୁକ୍ତିତର୍କ କରିବା ସହ ଠେଲାପେଲା କରିଥିଲେ। ଏହାପରେ ନୟାସଡ଼କ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ରାତିରେ ବ୍ୟାପକ ପୋଲିସ ବାହିନୀ ମୁତୟନ କରାଯାଇଥିଲା। ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ତଦନ୍ତ ଜାରି ରହିଛି ବୋଲି ଡିସିପି କହିଛନ୍ତି।