ନୂଆଦିଲ୍ଲୀ: ୧୯୯୦ ମସିହାରେ ଅଯୋଧ୍ୟାରେ କରସେବକଙ୍କ ଉପରେ ଗୁଳିଚାଳନା ନିଷ୍ପତ୍ତିକୁ ସମାଜବାଦୀ ପାର୍ଟି ସାଂସଦ ସନାତନ ପାଣ୍ଡେ ସମର୍ଥନ କରିବା ପରେ ଭାରତୀୟ ଜନତା ପାର୍ଟି ସପା ଉପରେ ବର୍ଷିଛି। ଉତ୍ତର ପ୍ରଦେଶର ସ୍ୱର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଏହି ନିଷ୍ପତ୍ତିକୁ ସଠିକ୍ ବୋଲି କହିବା ପରେ ବିଜେପି ଏହାକୁ ଭୋଟବ୍ୟାଙ୍କ ରାଜନୀତି ଓ ଧର୍ମୀୟ ତୁଷ୍ଟୀକରଣର ଚରମ ନିଦର୍ଶନ ବୋଲି ଅଭିଯୋଗ କରିଛି।

ସପା ସାଂସଦ ସନାତନ ପାଣ୍ଡେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, “ଭାରତର ସମ୍ବିଧାନକୁ ରକ୍ଷା କରିବା ଏବଂ ଦେଶକୁ ଗୃହଯୁଦ୍ଧରୁ ବଞ୍ଚାଇବା ପାଇଁ ନେତାଜୀ (ମୁଲାୟମ ସିଂହ) ଗୁଳିଚାଳନା ନିର୍ଦ୍ଦେଶ ଦେଇ ବିଲକୁଲ ସଠିକ୍ କାମ କରିଥିଲେ। ଯଦି ସେହି ସମୟରେ ଗୁଳିଚାଳନା ହୋଇନଥାନ୍ତା, ତେବେ ବିବାଦୀୟ ଢାଞ୍ଚା ଭଙ୍ଗାଯାଇଥାନ୍ତା ଏବଂ ଦେଶସାରା ବ୍ୟାପକ ହିଂସା କିମ୍ବା ଗୃହଯୁଦ୍ଧ ସୃଷ୍ଟି ହୋଇଥାନ୍ତା।”

ଏହାର କଡ଼ା ଜବାବ ଦେଇ ଉତ୍ତର ପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି ଯେ, ସମାଜବାଦୀ ପାର୍ଟି କ୍ରମାଗତ ଭାବେ ମୁସଲିମ ତୁଷ୍ଟୀକରଣ ରାଜନୀତି କରିଆସୁଛି। ସପା ନେତାମାନେ ନିଜକୁ ହିନ୍ଦୁ ଓ ପ୍ରଭୁ ରାମଙ୍କ ଭକ୍ତ ବୋଲି ଦେଖାଇବାକୁ ଚେଷ୍ଟା କରନ୍ତି, କିନ୍ତୁ ପ୍ରକୃତରେ ସେମାନେ କଦାପି ପ୍ରଭୁ ରାମ କିମ୍ବା ହନୁମାନଙ୍କର ହୋଇପାରିବେ ନାହିଁ। ସେମାନେ କେବଳ ଭୋଟ୍‌ ପାଇଁ ସମାଜରେ ବିଭାଜନ ସୃଷ୍ଟି କରୁଛନ୍ତି।

ସେହିପରି ବିଜେପି ସାଂସଦ ତରୁଣ ଚୁଗ୍ କହିଛନ୍ତି ଯେ, ସପା ଶେଷରେ ନିରୀହ ଓ ନିରସ୍ତ୍ର କରସେବକଙ୍କ ଉପରେ ଆକ୍ରମଣ କରିଥିବା ସ୍ୱୀକାର କରିଛି। ଏହା ଦେଶ ଇତିହାସରେ ଏକ କଳା ଅଧ୍ୟାୟ। ବିଜେପି ଜାତୀୟ ପ୍ରବକ୍ତା ଗୁରୁ ପ୍ରକାଶ ମଧ୍ୟ ଏହି ବକ୍ତବ୍ୟକୁ ସମାଲୋଚନା କରି ଏହାକୁ ସପାର ସନାତନ-ବିରୋଧୀ ଓ ହିନ୍ଦୁ-ବିରୋଧୀ ମାନସିକତାର ପ୍ରତୀକ ବୋଲି କହିଛନ୍ତି।

୧୯୯୦ ମସିହା ଅକ୍ଟୋବର ଓ ନଭେମ୍ବର ମାସରେ ରାମଜନ୍ମଭୂମି ଆନ୍ଦୋଳନ ସମୟରେ ମୁଲାୟମ ସିଂହ ଯାଦବଙ୍କ ସରକାର ଅଧୀନରେ ହୋଇଥିବା ଏହି ଗୁଳିକାଣ୍ଡରେ ୧୫ ଜଣ କରସେବକଙ୍କ ଜୀବନ ଯାଇଥିଲା, ଯାହା ଭାରତୀୟ ରାଜନୀତିରେ ଆଜି ବି ଏକ ଅତ୍ୟନ୍ତ ସଂବେଦନଶୀଳ ବିଷୟ ହୋଇରହିଛି।