ଭୁବନେଶ୍ୱର: ଓଡ଼ିଶାରେ ଶୀତର ପହିଲି ଛୁଆଁ ଅନୁଭୂତ ହୋଇଛି। ଆଗାମୀ ୭୨ ଘଣ୍ଟା ମଧ୍ୟରେ ରାଜ୍ୟରେ ରାତିର ତାପମାତ୍ରା ଆହୁରି ୨ ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି। ରାଜ୍ୟରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଏହି ଶୀତର ଲହରୀ ଜାରି ରହିବ।

ଗତ ୨-୩ ଦିନ ହେବ ରାଜ୍ୟସାରା ରାତିର ତାପମାତ୍ରାରେ ଧୀରେ ଧୀରେ ହ୍ରାସ ଘଟୁଛି। ସୋମବାର ରାତିରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ୧୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡ଼ି ଓ ଭବାନୀପାଟଣାରେ ୧୫ ଡିଗ୍ରୀ, ଝାରସୁଗୁଡ଼ା ଓ ନବରଙ୍ଗପୁରରେ ୧୬ ଡିଗ୍ରୀ, କେନ୍ଦୁଝରରେ ୧୬.୬ ଡିଗ୍ରୀ ଏବଂ ରାୟଗଡ଼ାରେ ୧୭ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।

ସୋମବାର ସନ୍ଧ୍ୟାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ପବନ ବହିବା ଆରମ୍ଭ କରିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁଯାୟୀ, ଆଗାମୀ ୪୮ ରୁ ୭୨ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୧୨ ରୁ ୧୬ ଡିଗ୍ରୀ ଏବଂ ଉପକୂଳ ଓଡ଼ିଶାର ତାପମାତ୍ରା ୧୭ ରୁ ୨୦ ଡିଗ୍ରୀ ମଧ୍ୟରେ ରହିବ। ଫୁଲବାଣୀ, କୋରାପୁଟର ସିମିଳିଗୁଡ଼ା, ଝାରସୁଗୁଡ଼ା ଓ କେନ୍ଦୁଝରରେ ଶୀତର ପ୍ରକୋପ ଅଧିକ ରହିବ।

ଅପରପକ୍ଷରେ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ନଭେମ୍ବର ୧୩ ତାରିଖରୁ ପାଗ ପୁଣି ସମ୍ପୂର୍ଣ୍ଣ ଶୁଖିଲା ରହିବ।