ଭୁବନେଶ୍ୱର: ଭାରତର ସବୁଜ ଶକ୍ତି ରୂପାନ୍ତରଣକୁ ଆଗେଇ ନେବା ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଗବେଷଣା ଓ ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ଆଇଆଇଟି ଭୁବନେଶ୍ୱର ଏକ ବଡ଼ ସଫଳତା ହାସଲ କରିଛି। ଦେଶର ଶକ୍ତି କ୍ଷେତ୍ରରେ କାର୍ଯ୍ୟରତ ଓଡ଼ିଶା ଏବଂ ମଧ୍ୟପ୍ରଦେଶର ତିନୋଟି ମୁଖ୍ୟ ସଂସ୍ଥା ସହ ଆଇଆଇଟି ଭୁବନେଶ୍ୱର ଏକ ରଣନୀତିକ ବୁଝାମଣା ପତ୍ର (MoU) ସ୍ୱାକ୍ଷର କରିଛି।
ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ରେ ଆୟୋଜିତ ‘ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ୨୦୨୬’ (Bharat Renewable Energy Summit 2026) ର ଓଡ଼ିଶା ରାଜ୍ୟ ଅଧିବେଶନ ଅବସରରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା ନେଇ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଚୁକ୍ତିନାମାରେ ଅଂଶଗ୍ରହଣ କରିଥିବା ୪ଟି ସଂସ୍ଥା ହେଉଛନ୍ତି:
୧. ଆଇଆଇଟି ଭୁବନେଶ୍ୱର
୨. ଓଡ଼ିଶାର ରାଜ୍ୟ ବିଦ୍ୟୁତ୍ ସଂସ୍ଥା ଗ୍ରୀଡ୍କୋ (GRIDCO)
୩. ମାନିଟ୍ (MANIT) ଭୋପାଳସ୍ଥିତ ସେଣ୍ଟର ଫର୍ ମିସନ୍ ଅନ୍ ଏନର୍ଜି ଟ୍ରାନ୍ସଫର୍ମେସନ୍ (CMET)
୪. ମଧ୍ୟପ୍ରଦେଶ ଉର୍ଜା ବିକାଶ ନିଗମ ଲିମିଟେଡ୍ (MPUVNL)
ଏହି ସହଯୋଗିତା ମାଧ୍ୟମରେ ଅକ୍ଷୟ ଶକ୍ତିର ଗ୍ରୀଡ୍ ସହ ସଂଯୋଗ, ଗ୍ରୀଡ୍ ଆଧୁନିକୀକରଣ, ବିଦ୍ୟୁତ୍ ପରିବହନ ଓ ବଣ୍ଟନ ଯୋଜନା, ଗ୍ରୀଡ୍ ନମନୀୟତା ବୃଦ୍ଧି ଏବଂ ସୁନିୟନ୍ତ୍ରିତ ପାୱାର ସିଷ୍ଟମ୍ ପ୍ରଯୁକ୍ତିର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରାଯିବ।ଏଥିସହ, ନୂତନ ସବୁଜ ଶକ୍ତି ସମାଧାନର ପରୀକ୍ଷଣ, ଇଲେକ୍ଟ୍ରିକ୍ ଭେହିକିଲ୍ ଏବଂ ଏନର୍ଜି ଷ୍ଟୋରେଜ୍ ସିଷ୍ଟମକୁ ଗ୍ରୀଡ୍ ସହ ଯୋଡ଼ିବା ପାଇଁ ନୀତିଗତ ପ୍ରସ୍ତାବ ପ୍ରସ୍ତୁତ କରାଯିବ। ଏହି ବୁଝାମଣା ଶିକ୍ଷାନୁଷ୍ଠାନ, ଗବେଷଣା କେନ୍ଦ୍ର ଏବଂ ଶକ୍ତି ଉଦ୍ୟୋଗ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ଭାରତକୁ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ।




