ନୂଆଦିଲ୍ଲୀ: ଦିଲ୍ଲୀବାସୀ ଓ ପର୍ଯ୍ୟଟକଙ୍କ ପାଇଁ ଏକ ନୂଆ ଆକର୍ଷଣ। ଯମୁନା ନଦୀରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ଜନସାଧାରଣଙ୍କୁ ମନୋରଞ୍ଜନର ନୂଆ ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ନୂଆଦିଲ୍ଲୀରେ ମଙ୍ଗଳବାରଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଯାଉଛି ‘ନମୋ ଯମୁନା କ୍ରୁଜ୍ ସଫାରୀ’।

ଏହି କ୍ରୁଜ୍ ସେବା ଦିଲ୍ଲୀର ସୋନିଆ ବିହାରରୁ ଜଗତପୁର ଶନି ମନ୍ଦିର ମଧ୍ୟରେ ପ୍ରାୟ ୬ କିଲୋମିଟର ପରିବ୍ୟାପ୍ତ ନଦୀପଥରେ ଚାଲିବ। ପ୍ରତ୍ୟେକ କ୍ରୁଜ୍ ରାଇଡ୍‌ର ଅବଧି ପ୍ରାୟ ୩୦ ମିନିଟ୍ ରହିବ, ଯାହା ମାଧ୍ୟମରେ ଯାତ୍ରୀମାନେ ଯମୁନା ନଦୀର ସୌନ୍ଦର୍ଯ୍ୟ ଓ ରିଭରଫ୍ରଣ୍ଟର ମଜା ନେଇପାରିବେ।

ଦିଲ୍ଲୀ ମନ୍ତ୍ରୀ କପିଳ ମିଶ୍ର ସୋସିଆଲ ମିଡିଆ ‘X’ରେ ଏହି ସୂଚନା ଦେଇ ଲେଖିଛନ୍ତି ଯେ, ଯମୁନାରେ పର୍ଯ୍ୟଟନ ବୃଦ୍ଧି ପାଇଁ ଏହି କ୍ରୁଜ୍ ଦିଲ୍ଲୀବାସୀଙ୍କୁ ସମର୍ପିତ କରାଯାଉଛି। ଏହାପୂର୍ବରୁ ଅକ୍ଟୋବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ମନ୍ତ୍ରୀ କପିଳ ମିଶ୍ର ସୋନିଆ ବିହାରରୁ ଜଗତପୁର ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତାରେ ଟ୍ରାଏଲ୍ ରନ୍ କରି ପ୍ରସ୍ତୁତି ଓ ସ୍ୱଚ୍ଛତାର ସମୀକ୍ଷା କରିଥିଲେ। ଛଠ୍ ମହାପର୍ବ ପୂର୍ବରୁ ଦିଲ୍ଲୀବାସୀଙ୍କୁ ଏହି ନୂଆ ପିକ୍‌ନିକ୍ ସ୍ପଟ୍‌ ଭେଟି ଦେବାକୁ ସରକାର ଲକ୍ଷ୍ୟ ରଖିଥିଲେ।

ଏହି ପ୍ରକଳ୍ପ କେନ୍ଦ୍ର ସରକାର, ଦିଲ୍ଲୀ ଉନ୍ନୟନ ପ୍ରାଧିକରଣ (DDA), ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ଟୁରିଜିମ୍‌ର ମିଳିତ ସହଯୋଗରେ କାର୍ଯ୍ୟକାରୀ ହୋଇଛି। କ୍ରୁଜ୍ ସେବା ବ୍ୟତୀତ ଆଗାମୀ ଦିନରେ ଏଠାରେ ଯମୁନା ମାଆଙ୍କ ଗାଥା ଦର୍ଶାଉଥିବା ମ୍ୟୁଜିକାଲ୍ ଫାଉଣ୍ଟେନ୍, ୱାଟର ସ୍ପୋର୍ଟସ୍, ଫୁଡ୍ ପାର୍କ ଏବଂ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କିଡ୍ସ ଜୋନ୍‌ ନିର୍ମାଣ କରାଯିବ। ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT) ର ନିୟମାବଳୀ ଅନୁଯାୟୀ ଏହି ସମ୍ପୂର୍ଣ୍ଣ ପ୍ରକଳ୍ପ ଗଢ଼ିତ ହୋଇଛି। ପର୍ଯ୍ୟଟକମାନେ ଦିଲ୍ଲୀ ଟୁରିଜିମ୍‌ ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ।