ନୂଆଦିଲ୍ଲୀ: ଦୀପାବଳି ଉତ୍ସବ ପରଦିନ ବୃଦ୍ଧି ପାଇଥିବା ବିଷାକ୍ତ ଧୂଆଁ ଓ ପ୍ରଦୂଷଣ ମଧ୍ୟରେ ସୋମବାର ତୁଳନାରେ ମଙ୍ଗଳବାର ସକାଳେ ଦିଲ୍ଲୀର ବାୟୁ ମାନରେ ସାମାନ୍ୟ ସୁଧାର ଦେଖାଦେଇଛି। ତେବେ ରାଜଧାନୀର ବାୟୁ ପ୍ରଦୂଷଣ ସ୍ତର ଏବେ ବି ‘ଅତ୍ୟନ୍ତ ଖରାପ’ ଶ୍ରେଣୀରେ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ର ତଥ୍ୟ ଅନୁଯାୟୀ, ମଙ୍ଗଳବାର ସକାଳ ୮:୧୦ ସୁଦ୍ଧା ଦିଲ୍ଲୀର ହାରାହାରି ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୩୦୪ ରେକର୍ଡ କରାଯାଇଛି।
ରାଜଧାନୀର ଅଧିକାଂଶ ପାଣିପାଗ ମନିଟରିଂ ଷ୍ଟେସନରେ AQI ସ୍ତର ଗୁରୁତର ରହିଛି। ପୁସା ଏବଂ ଚାନ୍ଦିନୀ ଚୌକରେ ସର୍ବାଧିକ ୩୯୫ AQI ରେକର୍ଡ ହୋଇଥିବା ବେଳେ NSUT ଜାଫରପୁରରେ ୩୮୨ ଏବଂ କମନୱେଲଥ୍ ସ୍ପୋର୍ଟସ କମ୍ପ୍ଲେକ୍ସରେ ୩୮୦ ରେକର୍ଡ କରାଯାଇଛି। ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡ଼ିକ ମଧ୍ୟରେ ଟାଲକଟୋରା ଗାର୍ଡେନ୍ରେ ୩୭୦, ସିରିଫୋର୍ଟରେ ୩୬୫, ଆୟା ନଗରରେ ୩୪୯, ପଞ୍ଜାବୀ ବାଗ୍ରେ ୩୪୮, ଆର.କେ. ପୁରମ୍ରେ ୩୨୯, ଲୋଧି ରୋଡ୍ରେ ୩୨୭, ଡିଟିୟୁ (DTU) ରେ ୩୨୩, ବାୱାନାରେ ୩୧୪ ଏବଂ ରୋହିଣୀରେ ୩୦୧ AQI ରହିଛି।
ପାଣିପାଗ ପ୍ରତିକୂଳ ଥିବାରୁ ଦିଲ୍ଲୀ-ଏନସିଆର (NCR) ବାସୀଙ୍କୁ ପ୍ରଦୂଷଣରୁ ତୁରନ୍ତ ଆଶ୍ୱସ୍ତି ମିଳିବା ସମ୍ଭାବନା କମ୍। ଭାରତୀୟ ପାଣିପାଗ ବିଭାଗ ର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୧୦ ରୁ ୧୫ ତାରିଖ ମଧ୍ୟରେ ଦିଲ୍ଲୀରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ଆଗାମୀ ପଶ୍ଚିମା ଝଡ଼ କେବଳ ପଶ୍ଚିମ ହିମାଳୟ ଅଞ୍ଚଳକୁ ପ୍ରଭାବିତ କରିବ, ଯାହାର ପ୍ରଭାବ ଦିଲ୍ଲୀରେ ବର୍ଷା କରାଇବା ପାଇଁ ଯଥେଷ୍ଟ ନୁହେଁ। ଏହାସହ ପବନର ଗତି ଘଣ୍ଟାପ୍ରତି ୫ ରୁ ୧୫ କିଲୋମିଟର ମଧ୍ୟରେ ସୀମିତ ରହିବ, ଯାହା ଦୂଷିତ ବାୟୁକୁ ହଟାଇବାରେ ବାଧକ ସାଜିବ।
ପ୍ରଦୂଷଣ ମାତ୍ରା ସଂକଟଜନକ ସ୍ଥିତିକୁ ଯିବା ପୂର୍ବରୁ ବାୟୁ ଗୁଣବତ୍ତା ପରିଚାଳନା କମିଶନର ନିର୍ଦ୍ଦେଶକ୍ରମେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନର ତୃତୀୟ ପର୍ଯ୍ୟାୟ କଟକଣା ବଳବତ୍ତର ରହିଛି। ଦିଲ୍ଲୀ ସମେତ ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ସଂଲଗ୍ନ ଜିଲ୍ଲାଗୁଡ଼ିକରେ କଠୋର ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଏବଂ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଜାରି ରହିଛି।




