ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ରେଡ୍ ହ୍ୟାଣ୍ଡରେ ଧରାପଡ଼ି ଜେଲ୍ ଯାଇଥିବା ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍-ରେଜିଷ୍ଟ୍ରାର ତଥା ପ୍ରୋବେସନରେ ଥିବା ଓଡ଼ିଶା ରାଜସ୍ୱ ସେବା ଅଫିସର ମନୀଷା ମିଶ୍ରଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନଭେମ୍ବର ୧୦ ତାରିଖରେ ନିର୍ଦ୍ଦେଶନାମା ଜାରି କରାଯାଇ ଏହି ସୂଚନା ଦିଆଯାଇଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ଗୃହଯୁଗ୍ମ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ବହିଷ୍କାର ଆଦେଶ ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ପଞ୍ଚରୁଖି ଗ୍ରାମର ଅଭିଯୋଗକାରୀ ଜ୍ଞାନରଞ୍ଜନ ପାତ୍ରଙ୍କ ଜମି କିଣାବିକା ସମ୍ପର୍କିତ ଜମି ସେଲ୍ ଡିଡ୍ ରେଜିଷ୍ଟ୍ରେସନ୍ ଏବଂ ସରକାରୀ ନକଲ ପ୍ରଦାନ ପାଇଁ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର ୭ ହଜାର ଟଙ୍କା ବେଆଇନ ଲାଞ୍ଚ ଦାବି କରିଥିଲେ। ଏ ନେଇ ଅଭିଯୋଗ ହେବା ପରେ ନଭେମ୍ବର ୬ ତାରିଖରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ୍ର ଅଧିକାରୀମାନେ ବାଲିଆପାଳ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଚଢ଼ଉ କରି ମନୀଷାଙ୍କୁ ତାଙ୍କ ନିଜ କକ୍ଷରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ରଙ୍ଗେହାତରେ କାବୁ କରିଥିଲେ।
ଏହି ସଂକ୍ରାନ୍ତରେ ନଭେମ୍ବର ୫ ତାରିଖରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ପିସି (ସଂଶୋଧିତ) ଆକ୍ଟ, ୨୦୧୮ ର ଧାରା ୭ ଅଧୀନରେ ମାମଲା (କେସ୍ ନଂ ୨୬) ରୁଜୁ ହୋଇଥିଲା। ନଭେମ୍ବର ୭ ତାରିଖରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା ଏବଂ କୋର୍ଟ ତାଙ୍କୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବିଚାରପତିକ ହାଜତକୁ ପଠାଇ ଦେଇଛନ୍ତି।
ORS ନିଯୁକ୍ତି ନିୟମାବଳୀ ୨୦୧୧ ଅନୁଯାୟୀ ମନୀଷା ମିଶ୍ର ତାଙ୍କର ଶିକ୍ଷାନବିଶ ଅବଧି ସମ୍ପୂର୍ଣ୍ଣ କରିନଥିଲେ। ତାଙ୍କର ଏହି କାର୍ଯ୍ୟ ସରକାରୀ କର୍ମଚାରୀ ଆଚରଣ ବିଧି, ୧୯୫୯ ର ରୁଲ୍-୩ ର ସୀମା ଲଙ୍ଘନ କରୁଥିବା ସହ ଗୁରୁତର ଦୁର୍ନୀତି, ଅପରାଧିକ ଆଚରଣ ଏବଂ ବ୍ୟକ୍ତିଗତ ଅନୈତିକତାର ପରିଚାୟକ ଅଟେ।
ତାଙ୍କୁ ସେବାରେ ବଜାୟ ରଖିବା ଜନସ୍ୱାର୍ଥର ପରିପନ୍ଥୀ ହୋଇଥିବାରୁ ନିଯୁକ୍ତି ପ୍ରାଧିକାରୀ ORS ନିଯୁକ୍ତି ନିୟମାବଳୀ, ୨୦୧୧ ର ରୁଲ୍-୧୭(୨) ଏବଂ ଓଡ଼ିଶା ରାଜସ୍ୱ ସେବା ଗ୍ରୁପ୍-ବି (ପ୍ରୋବେସନ୍ ଏବଂ ବିଭାଗୀୟ ପରୀକ୍ଷା) ନିୟମ, ୨୦୧୬ ଅନୁଯାୟୀ ତାଙ୍କୁ ତୁରନ୍ତ ପ୍ରଭାବରୁ ଚାକିରିରୁ ଅବସାହନ (ବହିଷ୍କାର) କରିଛନ୍ତି।




