ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବଜାର ନିକଟସ୍ଥ ୧୮ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ଦିଲ୍ଲୀ ବାହାରିଥିବା ‘ଶ୍ୟାମଳୀ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିବା ଫଳରେ ଦୁଇ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ବୁଧବାର ଭୋର ପ୍ରାୟ ୩ଟା ସମୟରେ ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଜାତୀୟ ରାଜପଥର ଡିଭାଇଡର ସହ ଧକ୍କା ହୋଇଥିଲା। ଧକ୍କା ହେବା ମାତ୍ରେ ବସ୍‌ଟି ଓଲଟି ପଡ଼ିଥିଲା ଏବଂ ସେଥିରେ ଥିବା ପ୍ରାୟ ୪୫ ଜଣ ଯାତ୍ରୀ ଭିତରେ ଫସି ରହିଥିଲେ।

ଖବର ପାଇ ଝାରପୋଖରିଆ ଥାନା ପୁଲିସ ସମେତ ସାରସକଣା ଓ ବଙ୍ଗିରିପୋଷିରୁ ଆଗ୍ନିଶମ ବାହିନୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କଟର ଏବଂ ବିଶେଷ ଯନ୍ତ୍ରାଂଶ ସାହାଯ୍ୟରେ ବସ୍‌ର କାଚ ଓ ପଛପଟ ଭାଙ୍ଗି ସମସ୍ତ ୪୫ ଜଣ ଯାତ୍ରୀଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି।

ତେବେ ବସ୍ ଭିତରେ ଚାପି ହୋଇ ରହିଥିବା ଦୁଇ ଜଣ ଯାତ୍ରୀ ଅତ୍ୟନ୍ତ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ସିରସା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟ କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।