ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ପୁଣି ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି। ବୁଧବାର ଅପରାହ୍ନ ପ୍ରାୟ ୨.୧୫ ମିନିଟ୍ ସମୟରେ କୁଲଗାମର ମୀର ବଜାର ନିକଟସ୍ଥ ଆଖରାନ ଅଞ୍ଚଳରେ CRPF ଟିମ୍ ଉପରକୁ ଆତଙ୍କବାଦୀମାନେ ଅଚାନକ ଗୁଳିଚାଳନା କରିଛନ୍ତି। ଏହି ବୁଲେଟ୍ ଆକ୍ରମଣରେ CRPF ର ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।
ସରକାରୀ ସୂଚନା ଅନୁଯାୟୀ, ଦୁଇଜଣ ବାଇକ୍ ଆରୋହୀ ଆତଙ୍କବାଦୀ ଆସି ୪୬ ବାଟାଲିୟନର CRPF ଯବାନମାନଙ୍କ ଉପରକୁ ଅନ୍ଧାଧୁନ୍ଦ ଗୁଳିଚାଳନା କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଗୁଳିମାଡ଼ ପରେ ସମଗ୍ର ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଆହତ ଯବାନମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଅନନ୍ତନାଗ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସେନା, CRPF ଏବଂ ଜମ୍ମୁ-କାଶ୍ମୀର ପୁଲିସର ଯୁଗ୍ମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆଖରାନ ଓ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିଛନ୍ତି। ଆତଙ୍କବାଦୀମାନଙ୍କୁ ଠାବ କରିବା ପାଇଁ ଜିଲ୍ଲାସାରା ହାଇଆଲର୍ଟ ଜାରି କରାଯାଇଛି।
କୁଲଗାମ ଜିଲ୍ଲାର ମୀର ବଜାର, କାଜିଗୁଣ୍ଡ ଏବଂ ଶାମସିପୋରା ଭଳି ଅଞ୍ଚଳ କାଶ୍ମୀର ଉପତ୍ୟକାକୁ ଜମ୍ମୁ ସହ ଯୋଡ଼ୁଥିବା ପ୍ରମୁଖ ଟ୍ରାଞ୍ଜିଟ୍ କରିଡର ହୋଇଥିବାରୁ ଏଠାରେ ପୁଲିସ ନାକା ଓ ସୁରକ୍ଷା କର୍ମୀଙ୍କୁ ପ୍ରାୟତଃ ଆତଙ୍କବାଦୀମାନେ ଟାର୍ଗେଟ କରିଥାନ୍ତି।
ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୩୧ ତାରିଖରେ କୁଲଗାମର କେଲାମ ଅଞ୍ଚଳରେ ଆତଙ୍କବାଦୀମାନେ ୨ ଜଣ ଶ୍ରମିକଙ୍କୁ ହତ୍ୟା କରିଥିଲେ, ଯାହା ପରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଥିଲେ। ସେହି ଘଟଣା ପରେ ଆଜି ପୁଣିଥରେ କୁଲଗାମରେ ଏହିପରି ବଡ଼ ଆତଙ୍କବାଦୀ ଆକ୍ରମଣ ଦେଖିବାକୁ ମିଳିଛି।




