ଅହଲ୍ୟାନଗର (ମହାରାଷ୍ଟ୍ର): ୨୦୧୧ ମସିହାରେ ହୋଇଥିବା ‘ଇଣ୍ଡିଆ ଏଗେନ୍‌ଷ୍ଟ କରପ୍ସନ୍’ (ଭ୍ରଷ୍ଟାଚାର ବିରୋଧୀ) ଆନ୍ଦୋଳନ ପଛରେ “ବିଜେପି ଏବଂ ଆରଏସଏସର ଗୁପ୍ତ ସମର୍ଥନ” ଥିଲା ବୋଲି ସିପିପି ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରିଥିବା ଦାବି ଉପରେ ବୁଧବାର ବରିଷ୍ଠ ସମାଜସେବୀ ଅନ୍ନା ହଜାରେ କଡ଼ା ପଲଟାବାର କରିଛନ୍ତି। ଅନ୍ନା ହଜାରେ କହିଛନ୍ତି ଯେ, ସୋନିଆ ଗାନ୍ଧୀ କୌଣସି ରାଜନୈତିକ ସଙ୍କୁଚିତ ମନୋଭାବ ନରଖି ଦେଶର କଲ୍ୟାଣ ବିଷୟରେ ଚିନ୍ତା କରିବା ଉଚିତ।

ସୋନିଆ ଗାନ୍ଧୀ ନିଜର ନୂତନ ସଂସ୍ମରଣ ‘ବିଲୋଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ୍ ଲଭ୍’ରେ ଲେଖିଛନ୍ତି ଯେ, ଅନ୍ନା ହଜାରେଙ୍କୁ ପ୍ରଚାର ଓ ପ୍ରସାର ସହ ଦିଲ୍ଲୀ ଅଣାଯାଇଥିଲା ଏବଂ ସେ ଅନଶନରେ ବସିଥିଲେ। ଏହି ଆନ୍ଦୋଳନ ପଛରେ ବିଜେପି ଓ ଆରଏସଏସର ହାତ ଥିଲା, ଯାହାର ମୁଖ୍ୟ ଲକ୍ଷ୍ୟ ଥିଲା ତତ୍କାଳୀନ ୟୁପିଏ (UPA) ସରକାରଙ୍କୁ କ୍ଷମତାରୁ ହଟାଇବା। ୟୁପିଏ ସରକାର ଗଲା ପରେ ଅନ୍ନା ହଜାରେଙ୍କ ବିଷୟରେ ଆଉ କିଛି ଶୁଣିବାକୁ ମିଳିନଥିଲା ବୋଲି ସୋନିଆ ଦାବି କରିଛନ୍ତି।

ଅନ୍ନାସୋନିଆଙ୍କ ଏହି ଅଭିଯୋଗର ଜବାବ ଦେଇ ଅନ୍ନା ହଜାରେ ସମ୍ବାଦଦାତାମାନଙ୍କୁ କହିଛନ୍ତି, “ମୋର ଆନ୍ଦୋଳନ ଯୋଗୁଁ ଆରଏସଏସ ଏବଂ ବିଜେପିର ଅନେକ ଲୋକଙ୍କୁ ମଧ୍ୟ ଘରକୁ ଯିବାକୁ ପଡ଼ିଥିଲା। ମୁଁ କୌଣସି ରାଜନୈତିକ ଦଳ ବିଷୟରେ ଭାବେ ନାହିଁ। ମୋ ପାଇଁ କେବଳ ସମାଜ ଏବଂ ଦେଶ ଗୁରୁତ୍ୱପୂର୍ଣ୍ଣ। ଏପରି ସଙ୍କୁଚିତ ଦୃଷ୍ଟିକୋଣ ରଖିବା ଠିକ୍ ନୁହେଁ। ଦେଶ କେଉଁ ଦିଗକୁ ଯାଉଛି ଏବଂ ଦେଶର ସ୍ଥିତି କ’ଣ, ସେ ବିଷୟରେ ଭାବନ୍ତୁ, ଏପରି ସାମାନ୍ୟ କଥାରେ ନୁହେଁ।”ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର କଂଗ୍ରେସ କିମ୍ବା ବିଜେପି କୌଣସି ଦଳ ସହ ସମ୍ପର୍କ ନାହିଁ। “ଯେଉଁ ଗଛରେ ଫଳ ଥାଏ, ଲୋକେ ସେହି ଗଛକୁ ହିଁ ପଥର ମାରନ୍ତି। ମୁଁ ମୋର ସମ୍ପୂର୍ଣ୍ଣ ଜୀବନ ସମାଜ ଓ ଦେଶ ପାଇଁ ସମର୍ପିତ କରିଛି, ତେଣୁ ଲୋକେ କ’ଣ କହୁଛନ୍ତି ସେଥିରେ ମୋର କିଛି ଯାଏଆସେ ନାହିଁ,” ବୋଲି ସେ ପ୍ରକାଶ କରିଛନ୍ତି। ଏହାସହ ନିଜ ଆତ୍ମଜୀବନୀ ‘ଅନ୍ନା ହଜାରେ: ଗ୍ରାମ ଯୋଗୀ’ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ଲୋକେ ଏହାକୁ ପଢ଼ି ସମାଜସେବା ଶିଖିବା ଉଚିତ।