ରାଜସ୍ଥାନର ଝାଲାୱାରରେ ସାଇବର ଠକେଇ ଓ ବ୍ଲାକ୍‌ମେଲିଂର ଶିକାର ହୋଇ ଜଣେ ୫୬ ବର୍ଷୀୟ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁରୁଣା ଓ ଦୁର୍ଲଭ ମୁଦ୍ରା କିଣିବାର ଲୋଭ ଦେଖାଇ ତାଙ୍କଠାରୁ ପ୍ରାୟ ୧୩ ଲକ୍ଷ ଟଙ୍କା ଠକି ନିଆଯାଇଥିଲା। ପରେ ନକଲି ପୁଲିସ ନୋଟିସ୍‌ ଓ AI ଦ୍ୱାରା ପ୍ରସ୍ତୁତ ଭିଡିଓ ପଠାଇ ତାଙ୍କୁ ଧମକ ଦିଆଯାଉଥିଲା। ଏହି ଘଟଣାରେ ରାଜସ୍ଥାନ ପୁଲିସ ବିହାରରୁ ୬ ଜଣଙ୍କୁ ଗିରଫ କରିଛି। ଏଥିସହ ୩ ଜଣ ନାବାଳକଙ୍କୁ ମଧ୍ୟ ଅଟକ ରଖାଯାଇଥିବା ରିପୋର୍ଟରେ କୁହାଯାଇଛି।

ପୁଲିସ ସୂଚନା ଅନୁସାରେ, ଠକମାନେ ମହିଳାଙ୍କୁ ପୁରୁଣା ଓ ଦୁର୍ଲଭ କଏନ୍‌ ବଦଳରେ ମୋଟା ଅଙ୍କର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ପ୍ରଥମେ ଛୋଟ ଛୋଟ ଟଙ୍କା ନେଇ ବିଶ୍ୱାସ ଜିତିବା ପରେ ବିଭିନ୍ନ ବାହାନାରେ ତାଙ୍କଠାରୁ ବାରମ୍ବାର ଟଙ୍କା ଆଦାୟ କରିଥିଲେ। ମହିଳା ଟଙ୍କା ଫେରସ୍ତ ମାଗିବାରୁ ଠକମାନେ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ।

ଏପରିକି ଦିଲ୍ଲୀ ପୁଲିସ ଟଙ୍କା ଜବତ କରିଛି ବୋଲି ମିଥ୍ୟା ସୂଚନା ଦେବା ସହ ନକଲି ନୋଟିସ୍‌ ପଠାଇଥିଲେ। ମହିଳାଙ୍କ ପୁଅକୁ ଏକ ଗୁରୁତର ଅପରାଧିକ ମାମଲାରେ ଫସାଇ ଦିଆଯିବ ବୋଲି ମଧ୍ୟ ଧମକ ଦେଇଥିଲେ। ଏହା ସହ AI ଦ୍ୱାରା ପ୍ରସ୍ତୁତ ମାଡ଼ପିଟ୍‌ର ଭିଡିଓ, ଦୁର୍ଘଟଣାର ଛବି ଓ ହସ୍ପିଟାଲ୍‌ର ନକଲି ବିଲ୍‌ ପଠାଇ ମହିଳାଙ୍କୁ ଭୟଭୀତ କରୁଥିଲେ।

କ୍ରମାଗତ ଆର୍ଥିକ କ୍ଷତି ଓ ପରିବାରକୁ କ୍ଷତି ପହଞ୍ଚାଇବାର ଧମକ ଯୋଗୁଁ ମହିଳା ମାନସିକ ଚାପରେ ରହୁଥିଲେ। ଶେଷରେ ସେ ଆତ୍ମହତ୍ୟା କରିଥିଲେ। ଏହାପରେ ତାଙ୍କ ଝିଅଙ୍କ ଅଭିଯୋଗ ଆଧାରରେ ନଭେମ୍ବର ୧ରେ ଝାଲାୱାର କୋତୱାଲି ଥାନାରେ ମାମଲା ରୁଜୁ ହୋଇଥିଲା।

ଘଟଣାର ତଦନ୍ତ ପାଇଁ ପୁଲିସ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିଥିଲା। ମହିଳାଙ୍କ ମୋବାଇଲ୍‌ ଫୋନ୍‌, ବ୍ୟାଙ୍କ ଖାତା, UPI କାରବାର ଓ କଲ୍‌ ଡିଟେଲ୍‌ ଯାଞ୍ଚ କରିବା ପରେ ଠକେଇର ଲିଙ୍କ୍‌ ବିହାରର ସହରସା, ମଧେପୁରା ଓ ଖଗଡ଼ିଆ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଥିଲା। ବିହାର ପୁଲିସର ସହଯୋଗରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରାଯାଇଥିଲା।

ପୁଲିସ ଏପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ ଟଙ୍କାର ଆର୍ଥିକ କାରବାରର ସୂତ୍ର ପାଇଥିବା ବେଳେ ପରିବାର ପକ୍ଷରୁ ପ୍ରାୟ ୧୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ କରାଯାଇଛି। ଗିରଫ ଅଭିଯୁକ୍ତଙ୍କଠାରୁ ମୋବାଇଲ୍‌ ଫୋନ୍‌, କମ୍ପ୍ୟୁଟର ଓ ଅନ୍ୟ ଡିଜିଟାଲ୍‌ ଉପକରଣ ଜବତ ହୋଇଛି। ଏହି ଠକେଇ ନେଟୱର୍କର ଅନ୍ୟ ସଦସ୍ୟଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି।