ନୂଆଦିଲ୍ଲୀ: ମହିଳା ଓ ଅନୁସୂଚିତ ଜାତି (SC) ତଥା ଅନୁସୂଚିତ ଜନଜାତି (ST) ବର୍ଗର ଉଦ୍ୟୋଗୀମାନଙ୍କୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ‘ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ’ ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢ଼ାଇଛନ୍ତି। ଏବେ ଏହି ଯୋଜନା ୨୦୩୧ ମାର୍ଚ୍ଚ ୩୧ ଯାଏଁ ଜାରି ରହିବ। ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ଏହି ଯୋଜନା ଅଧୀନରେ ଆଗାମୀ ୫ ବର୍ଷରେ ଅତିରିକ୍ତ ୨.୫ ଲକ୍ଷ ଉଦ୍ୟୋଗୀଙ୍କୁ ଆର୍ଥିକ ସହାୟତା ଯୋଗାଇବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୪,୧୧୧ କୋଟି ଟଙ୍କାର କ୍ରେଡିଟ୍ ଗ୍ୟାରେଣ୍ଟି ପାଣ୍ଠିକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।
କେଉଁମାନେ ପାଇବେ ଋଣ ସୁବିଧା?
ଏହି ଯୋଜନାରେ ମହିଳା, SC ଓ ST ବର୍ଗର ଯୋଗ୍ୟ ଉଦ୍ୟୋଗୀମାନେ ନୂଆ ବ୍ୟବସାୟ ବା ଗ୍ରୀନ୍ଫିଲ୍ଡ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ୧୦ ଲକ୍ଷ ଟଙ୍କାରୁ ଅଧିକ ଏବଂ ସର୍ବାଧିକ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। ଏହି ଋଣ ଟର୍ମ ଲୋନ୍ ଅଥବା କାର୍ଯ୍ୟକାରୀ ପୁଞ୍ଜି ଓ ଟର୍ମ ଲୋନ୍କୁ ମିଶାଇ କମ୍ପୋଜିଟ୍ ଲୋନ୍ ଆକାରରେ ମିଳିପାରିବ।
ପ୍ରକଳ୍ପର ମୋଟ ଖର୍ଚ୍ଚର ୮୫ ପ୍ରତିଶତ ପର୍ଯ୍ୟନ୍ତ ଋଣ ମିଳିବାର ବ୍ୟବସ୍ଥା ରହିଛି। ଏହା ସହ ଋଣ ରାଶିର ୮୫ ପ୍ରତିଶତ ପର୍ଯ୍ୟନ୍ତ କ୍ରେଡିଟ୍ ଗ୍ୟାରେଣ୍ଟି କଭରେଜ୍ ଦିଆଯିବ। ଗ୍ୟାରେଣ୍ଟି ଫି’ ୦.୫୦ ପ୍ରତିଶତ ଧାର୍ଯ୍ୟ କରାଯାଇଛି।
କେଉଁ କ୍ଷେତ୍ରରେ ମିଳିବ ସହାୟତା?
ଉତ୍ପାଦନ, ସେବା, ବାଣିଜ୍ୟ ଏବଂ କୃଷି ସହ ଜଡ଼ିତ ବ୍ୟବସାୟ ପାଇଁ ଏହି ଋଣ ସୁବିଧା ଉପଲବ୍ଧ ହେବ। ନୂଆ ଉଦ୍ୟୋଗ ଆରମ୍ଭ କରିବାକୁ ଆଗ୍ରହୀ ଯୋଗ୍ୟ ଆବେଦକମାନେ ବ୍ୟାଙ୍କ ଜରିଆରେ ଏହି ଋଣ ପାଇଁ ଆବେଦନ କରିପାରିବେ।
୨.୭୫ ଲକ୍ଷରୁ ଅଧିକ ଉଦ୍ୟୋଗୀ ହୋଇଛନ୍ତି ଉପକୃତ
୨୦୧୬ ଏପ୍ରିଲ୍ରେ ଆରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ ଏଯାଏଁ ୨.୭୫ ଲକ୍ଷରୁ ଅଧିକ ମହିଳା, SC ଓ ST ଉଦ୍ୟୋଗୀଙ୍କୁ ଋଣ ମିଳିଛି। ଯୋଜନାର ଅବଧି ବୃଦ୍ଧି ଫଳରେ ଆଗାମୀ ଦିନରେ ଆହୁରି ଅଧିକ ଉଦ୍ୟୋଗୀ ନିଜର ବ୍ୟବସାୟ ଆରମ୍ଭ କରିବା ସହ ନିଯୁକ୍ତି ସୃଷ୍ଟି କରିପାରିବେ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି।




