ୱାଶିଂଟନ୍: ଇରାନ ସହ ଚାଲିଥିବା ସାମରିକ ସଂଘର୍ଷ ଖୁବ୍‌ଶୀଘ୍ର ଶେଷ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ତେବେ ଏହା ସହିତ ସେ ସ୍ପଷ୍ଟ କରିଛନ୍ତି ଯେ ୱାଶିଂଟନ୍ କୌଣସି ଅଧାପନ୍ତରିଆ ଫଳାଫଳ ବଦଳରେ ‘ସମ୍ପୂର୍ଣ୍ଣ ବିଜୟ’ ଚାହୁଁଛି। ବୁଧବାର ଭେଟେରାନ୍ସ ଡେ’ ଅବସରରେ ଆର୍ଲିଂଟନ୍ ନ୍ୟାସନାଲ ସିମେଟ୍ରିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଟ୍ରମ୍ପ ନିଜ ପ୍ରଶାସନର ସାମରିକ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ସମର୍ଥନ ଜଣାଇବା ସହ ଯୁଦ୍ଧ ସମାପ୍ତିର କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନାହାନ୍ତି।

ସମ୍ବୋଧନ ସମୟରେ ଟ୍ରମ୍ପ ଦାବି କରିଛନ୍ତି ଯେ ଆମେରିକୀୟ ସେନା ଇତିମଧ୍ୟରେ ଯୁଦ୍ଧ ଜିତିସାରିଛି ଏବଂ ଏହି ସଂଘର୍ଷ କେବେ ଶେଷ ହେବ ତାହା ସମ୍ପୂର୍ଣ୍ଣ ଭାବେ ୱାଶିଂଟନ୍‌ର ନିଷ୍ପତ୍ତି ଉପରେ ନିର୍ଭର କରେ। ହ୍ୱାଇଟ୍ ହାଉସ୍ ପ୍ରେସ୍ ପୁଲ୍ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଟ୍ରମ୍ପ କହିଛନ୍ତି, “ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଆମର ସମ୍ପୂର୍ଣ୍ଣ ବିଜୟ ହେଉ, ୯୩ ପ୍ରତିଶତ ବିଜୟ ନୁହେଁ। ଏହା ସମ୍ପୂର୍ଣ୍ଣ ହେବାକୁ ଯାଉଛି।” ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା ପାଇଁ ନିୟୋଜିତ ଆମେରିକୀୟ ସୈନିକମାନଙ୍କୁ ସେ ଧନ୍ୟବାଦ ଜଣାଇବା ସହ ଏହାକୁ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦର୍ଶାଇଛନ୍ତି।

ଆମେରିକୀୟ ସେନାର ଆକ୍ରମଣରେ ଇରାନରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଯେ ଏହି ବିନାଶରୁ ମୁକୁଳିବା ପାଇଁ ଇରାନକୁ ଦଶନ୍ଧି ଦଶନ୍ଧି ସମୟ ଲାଗିବ। ସେ ଦାବି କରିଛନ୍ତି, “ଆମେ ଯାହା ଧ୍ୱଂସ କରିଛୁ, ତାହାକୁ ପୁଣିଥରେ ଗଢ଼ି ତୋଳିବା ପାଇଁ ସେମାନଙ୍କୁ ୨୫ ବର୍ଷ ଲାଗିବ ଏବଂ ଆଶା କରୁଛୁ ଯେ ଆମକୁ ସେହି ଦେଶର ଆଉ କିଛି ନଷ୍ଟ କରିବାକୁ ପଡ଼ିବ ନାହିଁ।” ତେବେ ଏହି ଆକଳନ ପଛରେ ସେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଉପସ୍ଥାପନ କରିନାହାନ୍ତି କିମ୍ବା ସୈନ୍ୟ ପ୍ରତ୍ୟାହାର ପାଇଁ କୌଣସି ସମୟସୀମା ଘୋଷଣା କରିନାହାନ୍ତି।

ଦଶନ୍ଧି ଧରି ଇରାନର ଶତ୍ରୁତାପୂର୍ଣ୍ଣ ଆଚରଣର ଜବାବ ଦେବା ପାଇଁ ଏହି ସାମରିକ ଅଭିଯାନ ଜରୁରୀ ଥିଲା ବୋଲି ଟ୍ରମ୍ପ ଯୁକ୍ତି ବାଢ଼ିଛନ୍ତି। ପୂର୍ବ ସରକାରଗୁଡ଼ିକ ବହୁ ପୂର୍ବରୁ ତେହରାନ ବିରୋଧରେ କଠୋର ପଦକ୍ଷେପ ନେବା ଉଚିତ ଥିଲା ବୋଲି ସେ କହିଛନ୍ତି। କୋରିଆ, ଭିଏତନାମ, ଇରାକ ଏବଂ ଆଫଗାନିସ୍ତାନ ଯୁଦ୍ଧ ସହ ତୁଳନା କରି ସେ କହିଛନ୍ତି ଯେ ସେହି ଦୀର୍ଘକାଳୀନ ଯୁଦ୍ଧଗୁଡ଼ିକରୁ ଆମେରିକାକୁ ବିଶେଷ କିଛି ଲାଭ ମିଳିନଥିଲା। ଏହି ସଂଘର୍ଷ ଶେଷ ହେବା ପରେ ବିଶ୍ୱ ଅଧିକ ସୁରକ୍ଷିତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। କାର୍ଯ୍ୟକ୍ରମରେ ସେ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହ ବିଭିନ୍ନ ପିଢ଼ିର ପୂର୍ବତନ ସୈନିକମାନଙ୍କୁ ସମ୍ମାନ ଜଣାଇଛନ୍ତି।