ଗାଜାର ଦକ୍ଷିଣ ଭାଗରେ ଥିବା ନାସେର ମେଡିକାଲ କମ୍ପ୍ଲେକ୍ସ ଉପରେ ଗୁରୁବାର ଭୋର ସମୟରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌ ହୋଇଛି। ଏହି ଆକ୍ରମଣରେ ଅତି କମ୍‌ରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ସର୍ଜନ୍‌ ଥିବା ଗାଜାର ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଖାନ୍‌ ୟୁନିସ୍‌ ସହରରେ ଅବସ୍ଥିତ ଏହି ହସ୍ପିଟାଲର ସର୍ଜରୀ ବିଭାଗକୁ ଆକ୍ରମଣରେ ଟାର୍ଗେଟ୍‌ କରାଯାଇଥିଲା। ଏଥିଯୋଗୁଁ ହସ୍ପିଟାଲର ଏକାଧିକ ଅଂଶ କ୍ଷତିଗ୍ରସ୍ତ ହୋଇଛି। କୋଠାର କିଛି ଅଂଶ ଭାଙ୍ଗିପଡ଼ିବା ସହ ଚିକିତ୍ସା ଉପକରଣ ଓ ରୋଗୀଙ୍କ ଶଯ୍ୟା ନଷ୍ଟ ହୋଇଥିବା ରିପୋର୍ଟ ମିଳିଛି।

ମୃତକଙ୍କ ମଧ୍ୟରେ ସର୍ଜନ୍‌ ରିଜ୍‌କ ଆବୁ ଶାଇରା ଅଛନ୍ତି। ଆକ୍ରମଣ ସମୟରେ ହସ୍ପିଟାଲରେ ରୋଗୀଙ୍କ ସହ ଚିକିତ୍ସାକର୍ମୀ ମଧ୍ୟ ଉପସ୍ଥିତ ଥିଲେ। ଆହତଙ୍କ ମଧ୍ୟରେ ଡାକ୍ତର ଓ ଅନ୍ୟ ଚିକିତ୍ସାକର୍ମୀ ଥିବା ଖବର ମିଳିଛି।

ଇସ୍ରାଏଲ ସେନାର କହିବା ଅନୁଯାୟୀ, ହସ୍ପିଟାଲ ପରିସରରେ ହମାସ୍‌ର ଜଣେ ବରିଷ୍ଠ କମାଣ୍ଡର ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିବାରୁ ସେମାନଙ୍କୁ ଟାର୍ଗେଟ୍‌ କରି ଏହି ଆକ୍ରମଣ କରାଯାଇଥିଲା। ତେବେ ଏହି ଦାବି ସପକ୍ଷରେ ଇସ୍ରାଏଲ ପକ୍ଷରୁ କୌଣସି ପ୍ରମାଣ ସାର୍ବଜନୀନ କରାଯାଇନାହିଁ।

ଅନ୍ୟପକ୍ଷରେ, ହମାସ୍‌ ଏହି ଆକ୍ରମଣକୁ ନିନ୍ଦା କରିଛି। ହସ୍ପିଟାଲ ଓ ଚିକିତ୍ସାକର୍ମୀଙ୍କ ସୁରକ୍ଷାକୁ ନେଇ ଗାଜାରେ ଚିନ୍ତା ବଢ଼ିଛି। ଯୁଦ୍ଧ ଯୋଗୁଁ ଗାଜାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପୂର୍ବରୁ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ନାସେର ହସ୍ପିଟାଲ ଏବେ ମଧ୍ୟ କାର୍ଯ୍ୟକ୍ଷମ ଥିବା କେତେକ ହାତଗଣତି ଚିକିତ୍ସା କେନ୍ଦ୍ର ମଧ୍ୟରୁ ଅନ୍ୟତମ।