ରାଜ୍ୟର ରାଜପଥ ଓ ପ୍ରମୁଖ ସଡ଼କରେ ଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା। ଏଥିପାଇଁ ଓଡ଼ିଶାର ୨୫ଟି ଜିଲ୍ଲାରେ ନବୀକରଣ ହୋଇଥିବା ୬୮ଟି ୱେସାଇଡ୍‌ ଆମେନିଟି ସେଣ୍ଟରକୁ ଗୁରୁବାର ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି କେନ୍ଦ୍ରଗୁଡ଼ିକର ନବୀକରଣ ଓ ଉନ୍ନତୀକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୪.୯ କୋଟି ଟଙ୍କା ବ୍ୟୟ କରାଯାଇଛି।

ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାରେ ଏହି କେନ୍ଦ୍ରଗୁଡ଼ିକ ଅବସ୍ଥିତ। ଦୂରଯାତ୍ରା କରୁଥିବା ଯାତ୍ରୀ, ଗାଡ଼ି ଚାଳକ ଓ ପର୍ଯ୍ୟଟକମାନେ ଏଠାରେ ଶୌଚାଳୟ, ପାନୀୟ ଜଳ, ଖାଦ୍ୟ ଓ ବିଶ୍ରାମ ଭଳି ମୌଳିକ ସୁବିଧା ପାଇପାରିବେ। ଏଥିସହିତ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି।

ସୁବିଧାର ରକ୍ଷଣାବେକ୍ଷଣ ପାଇଁ ୫୪୪ କର୍ମଚାରୀ

କେନ୍ଦ୍ରଗୁଡ଼ିକର ପରିଚ୍ଛନ୍ନତା ଓ ନିୟମିତ ପରିଚାଳନା ନିଶ୍ଚିତ କରିବାକୁ ପ୍ରତ୍ୟେକ କେନ୍ଦ୍ରରେ ୮ ଜଣ ଚୁକ୍ତିଭିତ୍ତିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ସୁରକ୍ଷାକର୍ମୀ, ୪ ଜଣ ସଫେଇ କର୍ମଚାରୀ ଓ ଜଣେ ରକ୍ଷଣାବେକ୍ଷଣ କର୍ମଚାରୀ ରହିଛନ୍ତି। ଏହିପରି ମୋଟ ୫୪୪ ଜଣ କର୍ମଚାରୀଙ୍କୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ Centralised Fund Management System (CFMS) ଅଧୀନରେ ନିୟୋଜିତ କରାଯାଇଛି।

ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସମସ୍ତ ୬୮ଟି କେନ୍ଦ୍ରରେ CCTV କ୍ୟାମେରା ଲଗାଯାଇଛି। ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେଲେ ମଧ୍ୟ ସେବା ଜାରି ରଖିବାକୁ DG ସେଟ୍‌ ଓ ଇନଭର୍ଟର ବ୍ୟବସ୍ଥା କରାଯାଇଛି।

ମହିଳା SHGଙ୍କୁ ମିଳିବ ରୋଜଗାର ସୁଯୋଗ

ଏହି କେନ୍ଦ୍ରଗୁଡ଼ିକରେ ଖାଦ୍ୟ ଓ ଜଳଖିଆ ଷ୍ଟଲ୍‌ ପରିଚାଳନା ଦାୟିତ୍ୱ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ଙ୍କୁ ଦିଆଯିବ। ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଏହି ଗୋଷ୍ଠୀଗୁଡ଼ିକୁ ଚୟନ କରିବ। ଏହାଦ୍ୱାରା ମହିଳାମାନଙ୍କୁ ରୋଜଗାରର ସୁଯୋଗ ମିଳିବା ସହ ଯାତ୍ରୀମାନେ ସ୍ଥାନୀୟ ଖାଦ୍ୟ ଓ ପାରମ୍ପରିକ ସାମଗ୍ରୀ ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି କେନ୍ଦ୍ରଗୁଡ଼ିକରେ ଶୌଚାଳୟ ବ୍ୟବହାର, ପାନୀୟ ଜଳ ଓ ବିଶ୍ରାମ ସୁବିଧା ପାଇଁ ଯାତ୍ରୀଙ୍କଠାରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। ଯାତ୍ରା ସମୟରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ସହ ସ୍ଥାନୀୟ ଅଞ୍ଚଳରେ ଜୀବିକା ସୃଷ୍ଟି କରିବା ଏହି ପଦକ୍ଷେପର ଲକ୍ଷ୍ୟ।

ସୂଚନାଯୋଗ୍ୟ, ଏହି ୬୮ଟି କେନ୍ଦ୍ର ମଧ୍ୟରୁ ୧୮ଟି ପର୍ଯ୍ୟଟନ ବିଭାଗ ଏବଂ ଅବଶିଷ୍ଟ ୫୦ଟି କେନ୍ଦ୍ର ନିର୍ମାଣ କରିଥିଲା ରାଜ୍ୟର କାର୍ଯ୍ୟ ବିଭାଗ। ଦୀର୍ଘଦିନ ଧରି ରକ୍ଷଣାବେକ୍ଷଣ ଅଭାବରୁ ଏଥିରୁ ଅନେକ କେନ୍ଦ୍ର ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ଏବେ ନବୀକରଣ ପରେ ସେଗୁଡ଼ିକୁ ପୁଣି ଯାତ୍ରୀଙ୍କ ବ୍ୟବହାର ପାଇଁ ଉପଲବ୍ଧ କରାଯାଇଛି।