ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ମୁଖ୍ୟ ରାସ୍ତାର ବିରସ ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପୋଲିସ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍ ସହ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରେଲର ଟ୍ରକ୍ର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଏବଂ ଆହତ ହୋଇଥିବା ସମସ୍ତ କର୍ମଚାରୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ଅଟନ୍ତି। ଏକ ମାମଲାର ତଦନ୍ତ ପାଇଁ ଅସ୍ତରଙ୍ଗ ପୋଲିସର ଏକ ଟିମ୍ ଭଦ୍ରକ ଜିଲ୍ଲାର ନାୟକାଣିଡିହି ଥାନା ଅଞ୍ଚଳକୁ ଆସିଥିଲେ। ତଦନ୍ତ କାର୍ଯ୍ୟ ଶେଷ କରି ସେମାନେ ନିଜ ଗାଡ଼ିରେ ବାସୁଦେବପୁର ଅଭିମୁଖେ ଫେରୁଥିବା ବେଳେ ବିରସ ଛକ ନିକଟରେ ଧାମରା ଆଡ଼କୁ ଯାଉଥିବା ଏକ ଦ୍ରୁତଗାମୀ ଟ୍ରେଲର ସହ ସେମାନଙ୍କ ଭ୍ୟାନ୍ର ମୁହାଁମୁହିଁ ଧକ୍କା ହୋଇଥିଲା।
ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପୋଲିସ ଭ୍ୟାନ୍ଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଥିଲା ଏବଂ ଭିତରେ ଥିବା ପୋଲିସ କର୍ମଚାରୀମାନେ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ଖବର ପାଇ ସ୍ଥାନୀୟ ଲୋକେ, ବାସୁଦେବପୁର ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ଆହତ କର୍ମଚାରୀଙ୍କୁ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣେ ପୋଲିସ କର୍ମଚାରୀଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟ ତିନିଜଣ ଗୁରୁତର ଆହତ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଅଧିକ ଉନ୍ନତ ଚିକିତ୍ସା ପାଇଁ ସେମାନଙ୍କୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଥିବା ଭଦ୍ରକ ସଦର ଏସଡିପିଓ ସୂଚନା ଦେଇଛନ୍ତି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।




