ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ମହାପ୍ରସାଦର ମର୍ଯ୍ୟାଦା ଓ ପବିତ୍ରତାକୁ ନେଇ ପୁରୀରେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଶ୍ରୀମନ୍ଦିର ବାହାରେ ଖୋଲାଖୋଲି ଭାବେ ମହାପ୍ରସାଦ ବିକ୍ରି କରାଯାଉଥିବା ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ (SJTA) ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ମନ୍ଦିର ବାହାରେ ପତ୍ର ଠୋଲାରେ ମହାପ୍ରସାଦ ବିକ୍ରି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ବାହାରେ କିଛି ବ୍ୟବସାୟୀ ପତ୍ର ଠୋଲାରେ ମହାପ୍ରସାଦ ରଖି ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଇଥିଲା। ପବିତ୍ର ମହାପ୍ରସାଦକୁ ଏଭଳି ଭାବେ ମନ୍ଦିର ବାହାରେ ବିକ୍ରି କରିବା ଏହାର ମର୍ଯ୍ୟାଦା ପ୍ରତି ଅପମାନ ବୋଲି ଭକ୍ତମାନେ ଅଭିଯୋଗ କରିଥିଲେ। ଭକ୍ତଙ୍କ ପ୍ରତିବାଦ ପରେ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ପୋଲିସର ଦ୍ୱାରସ୍ଥ ହୋଇଛି।
ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ ପବିତ୍ର କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମ ହେଉଛି। ଏହି ଭିଡ଼ର ଫାଇଦା ଉଠାଇ ମନ୍ଦିର ବାହାରେ ମହାପ୍ରସାଦ ବିକ୍ରି କରିବା ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଧାରିତ ନିୟମର ବିରୁଦ୍ଧାଚରଣ କରୁଛି। ମନ୍ଦିର ପରିସର ଭିତରେ ମହାପ୍ରସାଦ ବିକ୍ରିକୁ ଶୃଙ୍ଖଳିତ ଏବଂ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କାର୍ତ୍ତିକ ମାସ ଶେଷ ହେବା ପରେ ଆନନ୍ଦ ବଜାରରେ ମହାପ୍ରସାଦ ଏବଂ ଶୁଖିଲା ଭୋଗ ବିକ୍ରି ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ସେବାୟତମାନଙ୍କ ସହ ବିସ୍ତୃତ ଆଲୋଚନା କରାଯିବ।
ଅନ୍ୟପକ୍ଷରେ, ମନ୍ଦିର ଭିତରେ ଥିବା ଆନନ୍ଦ ବଜାରରୁ ସହଜରେ ମହାପ୍ରସାଦ ପାଇବାରେ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଅନେକ ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ, ମହାପ୍ରସାଦ ପାଇବା ପାଇଁ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁଛି। ଭିତରେ ଅତ୍ୟଧିକ ଭିଡ଼ ଓ ଅବ୍ୟବସ୍ଥା କାରଣରୁ ଅନେକ ସମୟରେ ଭକ୍ତମାନେ ବାଧ୍ୟ ହୋଇ ମଧ୍ୟସ୍ଥି କିମ୍ବା ମନ୍ଦିର ବାହାରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛନ୍ତି। ତେଣୁ ଆନନ୍ଦ ବଜାରରେ ଶୃଙ୍ଖଳା ରକ୍ଷା ସହ ସୁଲଭ ମୂଲ୍ୟରେ ଏବଂ ସହଜରେ ମହାପ୍ରସାଦ ଉପଲବ୍ଧ କରାଇବାକୁ ସାଧାରଣରେ ଦାବି ହେଉଛି।




