ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଆସନ୍ତାକାଲି ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଏହି ସିଷ୍ଟମଟି ଆହୁରି ଘନୀଭୂତ ହୋଇ ଏକ ଅବପାତର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି।

ଆଇଏମଡି ର ବିସ୍ତାରିତ ପୂର୍ବାନୁମାନ ଅନୁଯାୟୀ, ବିଭିନ୍ନ ପାଣିପାଗ ମଡେଲଗୁଡ଼ିକ ଏହି ସିଷ୍ଟମଟି ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେବା ନେଇ ସହମତି ପ୍ରକାଶ କରିଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟାର ଗତିପଥ ଏବଂ ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ, ସେନେଇ ବିଭିନ୍ନ ମଡେଲ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି। ଏହି କାରଣରୁ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସମ୍ଭାବ୍ୟ ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ କିମ୍ବା ପ୍ରଭାବ ସମ୍ପର୍କରେ କୌଣସି ସ୍ପଷ୍ଟ ଚିତ୍ର ଦିଆଯାଇ ନାହିଁ। ଆସନ୍ତା ୧୫ ତାରିଖରେ ଅବପାତ ସୃଷ୍ଟି ହେବା ପରେ ହିଁ ଏହାର ପ୍ରକୃତ ଗତିପଥ ଓ ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ବିଭାଗ କହିଛି।

ଅନ୍ୟପକ୍ଷରେ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ତେବେ କେତେକ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ନଭେମ୍ବର ୧୭ ଓ ୧୮ ତାରିଖ ବେଳକୁ ରାଜ୍ୟର ପାଗରେ ପରିବର୍ତ୍ତନ ଦେଖାଦେଇପାରେ।

ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ସିଷ୍ଟମଟି ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଏହା ଅଧିକ ଘନୀଭୂତ ହୁଏ, ତେବେ ବାତ୍ୟାର ରୂପ ନେଇପାରେ। ଏହା ଆସନ୍ତା ନଭେମ୍ବର ୧୯ ତାରିଖ ରାତି କିମ୍ବା ୨୦ ତାରିଖ ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶର କାଭାଲି ଏବଂ ମଛଲିପଟ୍ଟନମ୍ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଯଦି ଏଭଳି ସ୍ଥିତି ଉପୁଜେ, ତେବେ ନଭେମ୍ବର ୧୭-୧୮ ତାରିଖ ସୁଦ୍ଧା ଓଡ଼ିଶାର ପାଗ ବଦଳିପାରେ। ଏହାର ପ୍ରଭାବରେ ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲ୍ଲାରେ କିଛି ମାତ୍ରାରେ ବର୍ଷା ହୋଇପାରେ। ସେହିପରି ନଭେମ୍ବର ୧୯ ରୁ ୨୧ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଏବଂ ଗଜପତି ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ତେବେ ଅବପାତ ସୃଷ୍ଟି ହେବା ପରେ ହିଁ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।